ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୨୪୭ ସମ୍ବଳିତ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଭୁବନେଶ୍ଵର ସେସନ୍ସ କୋର୍ଟରେ ସୋମବାର ଇଡି ଅର୍ଚ୍ଚନା ନାଗଙ୍କ ସମେତ ମୋଟ ୪ ଜଣଙ୍କ ନାମରେ ଚାର୍ଜସିଟ୍ ଦଖଲ କରିଛି। ଏଥିରେ ଅର୍ଚ୍ଚନାଙ୍କ ବ୍ୟତୀତ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ଵର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରା ନାଁରେ ବି ଚାର୍ଜସିଟ୍ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ଗିରଫ ପରେ ଆର୍ଥିକ କାରବାର ନେଇ ଛାନ୍ଭିନ୍ କରୁଛି ଇଡି । ଏହିକ୍ରମରେ ପ୍ରଥମେ ଅର୍ଚ୍ଚନାଙ୍କୁ ଜେରା କରିଥିଲା ଇଡି। ପରେ ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ବି ଜେରା ହୋଇଥିଲା । ବାକି ଅର୍ଚ୍ଚନାଙ୍କ ସହିତ ଜଡିତ ଥିବା ଅନେକ ଲୋକଙ୍କ ଡାକି ମଧ୍ୟ ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପକ୍ଷେ ଅର୍ଚ୍ଚନା ନାଗଙ୍କ ସଂପତ୍ତି ବ୍ୟାଜାପ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି।
ଗୁରୁବାରଠାରୁ ଆରମ୍ଭ ହୋଇଛି ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା । ଇଡିର ଏକ ଟିମ୍ ଯାଇ ସତ୍ୟବିହାର ସ୍ଥିତ ଘରେ ଅର୍ଚ୍ଚନା ଘର ଓ ଜମି ମପାଚୁପା କରିଥିଲା । ଏହାସହ ଘର ମୂଲ୍ୟ ଆକଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି । ଆସନ୍ତା ୧୩ ତାରିଖରେ ଏ ବାବଦରେ କୋର୍ଟରେ ଶୁଣାଣି ହେବାକୁ ଯାଉଛି।