ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହେବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ। ନୟାପଲ୍ଲୀ ଥାନା ବ୍ଲାକମେଲ ମାମଲାରେ ସେ କୋର୍ଟରେ ହାଜର ହେବେ। ସୁରକ୍ଷା ଦୃଷ୍ଟିରୁ ଜେଲରୁ ଭିଡିଓ କନ୍ଫରେନ୍ସ ଜରିଆରେ ସେ ହାଜର ହେବା ନେଇ ସୂଚନା ମିଳିଛି।
ସେକ୍ସେଟୋର୍ସନ ମାମଲାରେ ଏବେ ଉଭୟ ସ୍ବାମୀ ଜଗବନ୍ଧୁ ଓ ସ୍ତ୍ରୀ ଅର୍ଚ୍ଚନା ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ଏହାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ଗତ ୨୧ ତାରିଖରେ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଝାରପଡ଼ା ଜେଲ୍ ଯିବା ପରେ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ।
ସେ କହିଥିଲେ ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ। ଫଟୋ, ଭଡ଼ିଓ ଭାଇରଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି। ୪ଟି ମୋବାଇଲ ଫୋନ୍, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି। ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଥିବା ପ୍ରଯୋଜକଙ୍କ ଅଭିଯୋଗର ରିମାଣ୍ଡ ଟ୍ୟାଗ ପାଇଁ କୋର୍ଟରେ ପ୍ରୋସେସ କରାଯାଉଛି। ଏଦିଗରେ ଅଧିକ ତଦନ୍ତ କରାଯାଉଛି। ତେଣୁ ଆଶା କରାଯାଉଛି ଯେ, ଏହି ମାମଲାରେ ଆଗକୁ ବଡ଼ ଗୁମର ଖୋଲିପାରେ।
