ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଏବେ ଚାରିଆଡ଼େ ଚର୍ଚ୍ଚାରେ ରହିଛି ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ଓ ହନିଟ୍ରାପ୍ ଘଟଣାରେ କମିଶନରେଟ୍ ପୁଲିସ୍ ଯେତିକି ତଦନ୍ତ କରୁଛି କଳାହାଣ୍ଡିର ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗିଛି। ଶାସକ ଦଳର ଆଗଧାଡ଼ିର ଯୁବ ସଙ୍ଗଠକ ଓ ପୂର୍ବତନ ଯୁବ ସଙ୍ଗଠକଙ୍କ ଅର୍ଚ୍ଚନାଙ୍କ ଆଲିସାନ ବଙ୍ଗଳାରେ ଅର୍ଚ୍ଚନାଙ୍କ ସହ ଏକାଠି ଭୋଜନ କରୁଥିବା ଦୃଶ୍ୟ ସାଧାରଣରେ ଚାଞ୍ଚଲ୍ୟ ଖେଳାଇଛି।ତାଙ୍କର ବଡ ବଙ୍ଗା ସୌକ, କୁକୁର ସୌକ ଓ ଘୋଡା ଚଢ଼ିବା ସୌକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନାଯୋଗ୍ୟ ଯେ, କମିଶନରେଟ ପୁଲିସ୍ ଜାଲରେ ଅର୍ଚ୍ଚନା ପଡ଼ିବା ପରେ ଏବେ ବହୁ ରାଜନେତାଙ୍କ ସମ୍ପର୍କ ଥିବା ଘଟଣା ସାଧାରଣରେ ଚର୍ଚ୍ଚାର ଖୋରାକ ହୋଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଏହି ମହିଳାଙ୍କ ଭୁବନେଶ୍ୱରସ୍ଥିତ ଆଲିସାନ ବଙ୍ଗଳାରେ କଳାହାଣ୍ଡିର ଶାସକ ଦଳର ଜଣେ ଆଗଧାଡ଼ିର ଯୁବ ସଙ୍ଗଠକ ଓ ଜଣେ ପୂର୍ବ ଯୁବ ସଙ୍ଗଠକଙ୍କ ଭୋଜନ କରିବା ଘଟଣା କଳାହାଣ୍ଡିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଦୁଇ ଯୁବନେତାଙ୍କ ବିଷୟ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।
କଳାହାଣ୍ଡିର ବହୁ ନାମୀଦାମୀ ନେତାଙ୍କ ଅର୍ଚ୍ଚନା ଲିଙ୍କ୍ ଏବେ ନେତାଙ୍କ ନିଦ ହଜାଇ ଦେଇଛି। ଭୁବନେଶ୍ୱର ପୁଲିସ ଏହି କଳାହାଣ୍ଡିଆ ନେତାଙ୍କ ଲିଙ୍କ୍ ନେଇ ଖୋଲତାଡ଼ କରିବ କି ନାହିଁ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ସେପଟେ ଅର୍ଚ୍ଚନାଙ୍କ ଆତିଥ୍ୟ ପାଇଥିବା କଳାହାଣ୍ଡିଆ ନେତା ଏବେ ଅକଲରେ ପଡ଼ିଛନ୍ତି। ଅର୍ଚ୍ଚନାଙ୍କ ଭୁବନେଶ୍ୱର ଲିଙ୍କ୍ ନେତାମାନଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। ଶାସକ ଦଳର ନେତାମାନଙ୍କ ଗୁମର ପୁଲିସ ଫିଟାଇବ ନା ଚପେଇବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରମାଣ ନଷ୍ଟ ପାଇଁ ଜଗବନ୍ଧୁଙ୍କୁ ଖୋଲା ଛାଡ଼ିଛି ପୁଲିସ !
ମହିଳା ବ୍ଲାକମେଲର୍ ଅର୍ଚ୍ଚନା ନାଗ ଧରାପଡ଼ିବା ପରେ ତାଙ୍କ କଳା କାରନାମାର ଫର୍ଦ୍ଦ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି। ବହୁ ବଡ଼ବଡ଼ିଆ ତାଙ୍କ ସାନ୍ନିଧ୍ୟ ଲାଭ କରୁଥିଲେ ବୋଲି କୁହାଯାଉଛି। କିନ୍ତୁ ସେ ରହସ୍ୟ ଉପରୁ ପରଦା ହଟିବା ପୂର୍ବରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ସେସବୁ ପ୍ରମାଣ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଗତ ୨୦ ଅକ୍ଟୋବର ୨୦୨୧ରେ କୋରାପୁଟର ଜଣେ ପୂର୍ବତନ ବିଧାୟକ ଅର୍ଚ୍ଚନାଙ୍କ ଘରକୁ ଯାଇଥିଲେ। ସେତେବେଳର ସେ ଫଟୋକୁ ଜଗବନ୍ଧୁ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପୋଷ୍ଟ କରିଥିଲେ। କିନ୍ତୁ ଗତରାତିରେ ତାଙ୍କ ଆକାଉଣ୍ଟରୁ ବିଧାୟକଙ୍କ ଫଟୋଟି ହଟି ଯାଇଛି। ଖାଲି ସେଇ ଗୋଟିଏ ଫଟୋ ନୁହେଁ, ସାମାଜିକ ଗଣମାଧ୍ୟମରୁ ଏଭଳି ଗୋଟିଏ ପରେ ଗୋଟିଏ ଫଟୋ ଡିଲିଟ୍ ହେବାରେ ଲାଗିଛି। ପ୍ରଥମେ ଅର୍ଚ୍ଚନାଙ୍କ ଇନଷ୍ଟାଗ୍ରାମ୍ରୁ ସବୁ ଫଟୋ ଡିଲିଟ୍ ହେବା ଓ ଏବେ ଜଗବନ୍ଧୁଙ୍କ ଆକାଉଣ୍ଟରୁ ଫଟୋ ଡିଲିଟ୍ ହେବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପ୍ରମାଣ ନଷ୍ଟ କରିବା ସହ ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେବା ପାଇଁ କ’ଣ ପୁଲିସ୍ ଜଗବନ୍ଧୁଙ୍କୁ ଖୋଲା ଛାଡ଼ି ଦେଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
