ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବୈଠକ କରିଛନ୍ତି । ତେବେ ଭାରତ-ଚୀନ୍ ଦ୍ବିପାକ୍ଷିକ ସମ୍ପର୍କ ସ୍ବାଭାବିକ କରିବା ନିମନ୍ତେ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରୁ ସମ୍ପୂର୍ଣ୍ଣ ସେନା ଅପସାରଣ ଆବଶ୍ୟକ ବୋଲି ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଅଜିତ ଡୋଭାଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ସାମ୍ପ୍ରତିକ ପରିସ୍ଥିତିରେ ପାରସ୍ପରିକ ସ୍ବାର୍ଥରେ ବ୍ୟାଘାତ ଘଟୁଛି ବୋଲି କହିବା ସହ ଡୋଭାଲ୍ କହିଛନ୍ତି ଯେ, ଶାନ୍ତି ଓ ସ୍ଥିରତା ଫେରିଲେ ପରସ୍ପର ପରସ୍ପରର ବିଶ୍ବାସଭାଜନ ହେବେ। ବିଶ୍ବାସ ଆସିଲେ ସମ୍ପର୍କରେ ଉନ୍ନତି ଘଟିବ।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିବା ପୂର୍ବରୁ ୱାଙ୍ଗ୍ ୟି ଡୋଭାଲ୍ଙ୍କୁ ଭେଟିଥିଲେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଲୋକେ କହିଛନ୍ତି। ଡୋଭାଲ୍ ଆହୁରି ମଧ୍ୟ କହିଛନ୍ତି ଯେ, କୂଟନୈତିକ ଏବଂ ସାମରିକସ୍ତରୀୟ ଆଲୋଚନା ସକାରାତ୍ମକ ଦିଗରେ ଗତି କଲେ ଶାନ୍ତି ଓ ସ୍ଥିରତା ଆସିବ। ଏହା ହେଉଛି ସମ୍ପର୍କ ସ୍ବାଭାବିକ କରିବା ପାଇଁ ପ୍ରଧାନ ଆବଶ୍ୟକତା। ଚୀନର ପଦକ୍ଷେପ ଯେପରି ପାରସ୍ପରିକ ନିରାପତ୍ତା ଉଲ୍ଲଂଘନ ନ କରେ ସେଥିପ୍ରତି ସୁନିଶ୍ଚିତ ହେବାକୁ ଡୋଭାଲ୍ ୱାଙ୍ଗଙ୍କୁ କହିଛନ୍ତି।