ପାସପୋର୍ଟ ଫେରସ୍ତ ପାଇବେ ଏନସିବିରୁ କ୍ଲିନଚିଟ୍ ପାଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ

ମୁମ୍ବାଇ : ଗତବର୍ଷ ଡ୍ରଗ-ଅନ-କ୍ରୁଜ୍ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏନସିବି ପକ୍ଷରୁ କ୍ଲିନଚିଟ୍ ମିଳିଛି । ତେବେ ଏହାରି ମଧ୍ୟରେ ସେ ନିଜର ପାସପୋର୍ଟ ଫେରସ୍ତ ପାଇଁ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ନିବେଦନ କରିଥିଲେ। କୋର୍ଟ ବୁଧବାର ରେଜିଷ୍ଟ୍ରିରୁ ଆର୍ୟନଙ୍କ ପାସପୋର୍ଟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଆର୍ୟନଙ୍କ ପିଟିସନ ଉପରେ କୋର୍ଟ ୧୩ ତାରିଖ ବୁଧବାର ଶୁଣାଣି କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଆର୍ୟନଙ୍କ ସପକ୍ଷରେ ଯାଇଛି।

ଗତବର୍ଷ ଅକ୍ଟୋବର ମାସରେ ଆର୍ୟନଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କଥିତ ଡ୍ରଗ ମାମଲାରେ ଗିରଫ କରିଥିଲା। ତେବେ ଯାଞ୍ଚ ଏଜେନ୍ସୀ ମାମଲାର ଚାର୍ଜସିଟ୍ ଦାଖଲ କରିବା ବେଳକୁ ସେଥିରେ ଆର୍ୟନଙ୍କ ନାମ ନଥିଲା। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଏନସିବି ଆର୍ୟନଙ୍କ ସମେତ ୫ ଜଣଙ୍କୁ ଛାଡି ଦେଇଥିଲା। ତେବେ ଜମାନତ ସର୍ତ୍ତ ଅନୁସାରେ ଆର୍ୟନ ଖାନ ତାଙ୍କ ପାସପୋର୍ଟ କୋର୍ଟରେ ଜମା ଦେଇଥିଲେ। ମାମଲାରେ ଆର୍ୟନ ବମ୍ବେ ହାଇକୋର୍ଟରୁ ଜାମିନ ପାଇବା ବେଳକୁ ୨୦ଦିନରୁ ଅଧିକ କାଳ ଜେଲରେ କଟାଇ ସାରିଥିଲେ।

ଆର୍ୟନଙ୍କୁ ଗତବର୍ଷ ଅକ୍ଟୋବରରେ ଏନସିବି ମୁମ୍ବାଇ ଉପକୂଳରେ ଏକ କ୍ରୁଜରୁ ଗିରଫ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଆସିଥିବା କିଛି ରିପୋର୍ଟରେ ଆର୍ୟନ ଏବେ ସ୍କ୍ରିପ୍ଟ ଲେଖିବାରେ ବ୍ୟସ୍ତ ବୋଲି କୁହାଯାଇଥିଲା। ସେ ନିର୍ଦ୍ଦେଶନାରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି। କୁହାଯାଇଥିଲା ସେ ଏକ ଓଟିଟି ସୋ ର ସ୍କ୍ରିପ୍ଟ ଲେଖୁଥିଲେ। ଏହା ଛଡା ଆର୍ୟନ ତାଙ୍କ ପିତାଙ୍କ ଆଗାମୀ ଫିଲ୍ମ ‘ପଠାନ’ରେ ଆସିଷ୍ଟ କରୁଥିବା ଦେଖିବାକୁ ମିଳିଥିଲେ। ଫିଲ୍ମର ଆକ୍ସନ ଦୃଶ୍ୟର ସେ କୋରିଓଗ୍ରାଫି କରିଥିଲେ।

Related Posts