ଆର୍ୟନ ଖାନ ସଂପର୍କିତ ଡ୍ରଗ୍ସ ମାମଲା: ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ ବିଶ୍ଵ ବିଜୟ ସିଂହ ଏବଂ ଆଶିଷ ରଞ୍ଜନ ପ୍ରସାଦ ନିଲମ୍ବିତ

ମୁମ୍ବାଇ :ନିଲମ୍ବିତ ହେଲେ ଆର୍ୟନ ଖାନ ସଂପର୍କିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଅଧିକାରୀ ବିଶ୍ଵ ବିଜୟ ସିଂହ ଏବଂ ଆଶିଷ ରଞ୍ଜନ ପ୍ରସାଦ । ଏହି ମାମଲାରେ ମୁଖ୍ୟ ତଦନ୍ତ ଅଧିକାରୀ ବିଶ୍ଵ ବିଜୟ ଏବଂ ଗୁଇନ୍ଦା ଅଧିକାରୀ ପ୍ରସାଦଙ୍କ ଭୂମିକା ସନ୍ଦେହ ଘେରରେ ଥିଲା। ଏହା ପରେ ତତ୍କାଳ ପ୍ରଭାବରୁ ଉଭୟଙ୍କୁ ସସପେଣ୍ଡ କରାଯାଇଛି।

ସୂଚନା ଅନୁଯାୟୀ, ଦୁଇ ଅଧିକାରୀ ସନ୍ଦିଗ୍ଧ ଗତିବିଧିରେ ସାମିଲ୍ ଥିଲେ। ୨୦୨୧ ଅକ୍ଟୋବର ୩ରେ ମୁମ୍ବାଇ ସମୁଦ୍ର କୂଳରେ ଏକ କ୍ରୁଜ ଜାହାଜରେ ଏନସିବିର ଚଢାଉ ସମୟରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ୧୯ ଜଣଙ୍କ ବିରୋଧରେ ପ୍ରତିବନ୍ଧିତ ଔଷଧ ବ୍ୟବହାର ଏବଂ ବିକ୍ରି କରିବା ଅଭିଯୋଗରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ(ଏନଡିପିଏସ) ଅଧିନିୟମ ଆଧାରରେ ମାମଲା ରୁଜୁ କରାଯାଇଥିଲା।

ସୂଚନାଯୋଗ୍ୟ, ଆର୍ୟନଙ୍କ ସମେତ ୧୭ ଜଣଙ୍କୁ ଜାମିନ ମିଳି ସାରିଥିବା ବେଳେ ବାକି ଦୁଇ ଜଣ ସଂପ୍ରତି ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

Related Posts