ନବ ଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳ ଦାସ ଗିରଫ, ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଏଏସଆଇ ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି । ଗୁରୁବାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଏକ କାର୍ଯ୍ୟକ୍ରମରେ ଯେଗଦେବାକୁ ଯାଉଥିବାବେଳେ ତାଙ୍କୁ ଅତି ନିକଟରୁ ସେ ଗୁଳି କରିଥିଲେ । ଗୋଟିଏ ଗୁଳି ତାଙ୍କର ବାମପଟ ଛାତିରେ ବାଜି ବାହାରି ଯାଇଥିଲା । ମନ୍ତ୍ରୀଙ୍କୁ ତୁରନ୍ତ ଏୟାର ଲିଫ୍ଟିଂ କରାଯାଇ ଭୁବନେଶ୍ୱର ଅଣା ଯାଇଥିଲା ।ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ନବ ଦାସ ଗାଡିରୁ ଓହ୍ଲାଇବାବେଳେ ହଠାତ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ । ଲାଗ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ । ତେବେ ୨ଟି ଗୁଳି ଫୁଟିବା ପରେ ତାଙ୍କୁ କାବୁ କରି ନେଇଥିଲେ । ମାମଲା ଗତକାଲିଠାରୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଗତକାଲିଠାରୁ ଗୋପାଳ କ୍ରାଇମ ବ୍ରାଞ୍ଚ କଷ୍ଟଡିରେ ଥିଲେ । ଆଜି ତାଙ୍କୁ ଜେରା କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା କହିଛି କ୍ରାଇମ ବ୍ରାଞ୍ଚ ।

କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାର ତଦନ୍ତ ଦାୟିତ୍ୱରେ ଅଛନ୍ତି । ବୋଥ୍ରା ଆଜି ଗୋପଳଙ୍କୁ ଜେରା କରିଥିଲେ । ଗୋପାଳ ପୂର୍ବରୁ ନବ ଦାସଙ୍କ PSO ଥିବା କୁହାଯାଉଥିଲା । ହେଲେ ବୋଥ୍ରା ଏହାକୁ ଖଣ୍ଡନ କରିଛନ୍ତି ।ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲା । ପରେ ଗୋପାଳଙ୍କୁ ପଚରାଉଚରା କରାଯାଉଛି । ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି।

ତେବେ ଗୋପାଳ ମନ୍ତ୍ରୀଙ୍କ ଉପରକୁ କାହିଁକି ଗୁଳି କଲା ? ମନ୍ତ୍ରୀଙ୍କ ସହ ପୂର୍ବ ଶତ୍ରୁତା ଥିଲା କି ? ହତ୍ୟା ପାଇଁ କେହି ସୁପାରି ଦେଇଥିଲେ କି ? ଏମିତି ଅନେକ ଦିଗକୁ ନେଇ କ୍ରାଇମ ବ୍ରାଞ୍ଚ ତାଙ୍କୁ ଜେରା କରିବ।

Related Posts