ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍‌ ଟି୨୦ କ୍ରିକେଟରେ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ ୫ ଉଇକେଟ ବିନିମୟରେ ୧୫୨ ରନ କରି ବିଜୟଠାରୁ ୪୦ ରନ ଦୂରରେ ରହିଯାଇଥିଲା। ଟସହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଦୁଇ ଓପନର ରୋହିତ ଓ ରାହୁଲ ସତର୍କତାର ସହିତ ବ୍ୟାଟିଂ କରିଥିଲେ।ରୋହିତ ଶର୍ମା ସାମାନ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ରାହୁଲ ନିଜର ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ରୋହିତ ୧୩ ବଲ ଖେଳି ୨ ଚୌକା ଓ ୧ ଛକା ସହିତ ୨୧ ରନ କରି ପ୍ୟାଭିଲିୟନ୍‌ ଫେରିଥିଲେ। ସେପଟେ ରାହୁଲ ୩୬ ରନର ଇନିଂସ ଖେଳିବା ପାଇଁ ୩୯ ବଲର ସାହାରା ନେଇଥିଲେ। ଆଉଟ ହେବା ପୂର୍ବରୁ ସେ ବିରାଟ କୋହଲିଙ୍କ ସହିତ ୫୬ରନର ଭାଗୀଦାରି କରିଥିଲେ।

ଏହାପରେ କୋହଲି ଓ ସୂର୍ଯ୍ୟକୁମାର ଅବିଭାଜିତ ୯୮ ରନ ଯୋଡିବା ସହିତ ଭାରତର ସ୍କୋର ୧୯୨ରେ ପହଞ୍ଚାଇଥିଲେ। ଅନ୍ତିମ ୭ ଓଭରରେ ଉଭୟ ଓଭର ପିଛା ୧୪ ରନ୍‌ହାରରେ ରନ୍‌ ସଂଗ୍ରହ କରିଥିଲା ଭାରତୀୟ ଦଳ। କୋହଲି ଷ୍ଟ୍ରାଇକ ରୋଟେଟ କରି ଖେଳୁଥିବା ବେଳେ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୪୪ ବଲ ଖେଳି ୫୯ ରନ କରିଥିବା ବେଳେ ଏଥିରେ ସାମିଲ ଥିଲା ୧ ଚୌକା ଓ ୩ ଛକା। ସେହିପରି ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ ଯାଦବ। ଭାରତୀୟ ଇନିଂସରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଯାଦବ ଅନ୍ତିମ ଓଭରରୁ ୨୬ ରନ୍‌ ସଂଗ୍ରହ କରିଥିଲେ। ଏହି ଓଭରରୁ ହ୍ୟାଟ୍ରିକ ସହିତ ମାରିଥିଲେ ୪ ଛକା। ପ୍ରଥମ ୩ ବଲରୁ ୩ ଛକା ମାରି ହ୍ୟାଟ୍ରିକ ପୂରଣ କରିଥିବା ବେଳେ ପରବର୍ତ୍ତୀ ବଲରୁ କୌଣସି ରନ ସଂଗୃହୀତ ହୋଇ ନ ଥିଲା। ଅନ୍ତିମ ଦୁଇ ବଲରେ ଗୋଟିଏ ଛକା ଓ ଦୁଇ ରନ୍‌ ହାସଲ କରିଥିଲେ ଯାଦବ।

ହଂକଂ ପକ୍ଷରୁ ଆୟୁଷ ଶୁକ୍ଲା ଓ ମହମ୍ମଦ ଘଜନଫର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହଂକଂ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ବାବର ହାୟାତ ସର୍ବାଧିକ ୪୧ ରନ୍‌ କରିଥିବା ବେଳେ କିଞ୍ଚିତ ଶାହ ୩୦ ରନ କରିଥିଲେ। ଶେଷ ଆଡକୁ ଜିଶାନ ଅଲି(୨୬) ଓ ସ୍କଟ ମ୍ୟାକେଞ୍ଜି(୧୬) ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଦଳ ୧୫୨ରେ ସୀମିତ ରହିଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା ଓ ଆଭେଶ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରା ଯାଇଥିଲା।