ଏଏସ୍ଓ ନିଯୁକ୍ତି ପରୀକ୍ଷା ମାମଲା: ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଦାୟର ହୋଇଥିବା ମାମଲାର ହାଇକୋର୍ଟ ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁକ୍ରବାର ମାମଲାର ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଗୁରୁବାର ଦିନ ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ଗତକାଲି ଆବେଦନକାରୀ ନିଜ ପକ୍ଷ ରଖିଥିଲେ।

ମେଧା ତାଲିକା ପ୍ରସ୍ତୁତିରେ ନିୟମ ଉଲ୍ଲଂଘନ ହୋଇଛି ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହିତ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବିଭିନ୍ନ ରାୟର ନଜିର ଆବେଦନକାରୀ ଓ ପ୍ରତିପକ୍ଷଙ୍କ ତରଫରୁ ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ମାମଲାର ହାଇକୋର୍ଟ ୨୦୨୨, ଡିସେମ୍ବର ୨ରେ ଶୁଣାଣି କରି ଏଏସ୍‌ଓ ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ମେଧାତାଲିକା ପ୍ରକାଶ ଉପରେ ଅଙ୍କୁଶ ଜାରି କରିଥିଲେ। ଏହି ଅଙ୍କୁଶ ଏବେ ବଳବତ୍ତର ରହିଛି। ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାର ଭବିଷ୍ୟତ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Related Posts