କ୍ୟାନ୍‌ସରେ ପୀଡିତ ହୋଇ ଆଖି ବୁଜିଲେ ଆସାମ ଅଭିନେତା କିଶୋର ଦାସ

ମୁମ୍ବାଇ : କର୍କଟ ରୋଗ ସହିତ ଦୀର୍ଘ ଦିନ ଧରି ଯୁଦ୍ଧ କରି ଶେଷରେ ହାରି ଗଲେ ଆସାମ ଅଭିନେତା କିଶୋର ଦାସ । ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ପ୍ରାୟତଃ ୩୦ ବର୍ଷ ହୋଇଥିଲା । ଚେନ୍ନାଇରେ କିଶୋର ଚିକିତ୍ସିତ ହେଉଥିଲେ । ହେଲେ ପୂର୍ବରୁ ତାଙ୍କର ଗୁଆହାଟୀରେ ଚିକିତ୍ସା କରାଯାଉଥିଲା କିନ୍ତୁ ଉନ୍ନତ ଚିକିତ୍ସା ସୁବିଧା ପାଇଁ ଗତ ବର୍ଷ ମାର୍ଚ୍ଚରେ ଚେନ୍ନାଇରେ ଯାଇଥିଲେ। କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧରେ ସଂଗ୍ରାମ କରିବା ପରେ ଗତକାଲି ଅର୍ଥାତ୍‌ ଶନିବାର ଦିନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ କିଶୋର ଦାସଙ୍କୁ ପୂର୍ବରୁ କୋଭିଡ ହୋଇଥିଲା । ଯେଉଁଥିପାଇଁ ସମସ୍ୟା ମଧ୍ୟ ବୃଦ୍ଧି ପାଇଲା । ଗତ ମେ ମାସରେ ଡାକ୍ତରଖାନାରେ ଥିବାର ଏକ ଫଟୋ ସେୟାର କରି କହିଥିଲେ ଯେ ସେ ଚତୁର୍ଥ ପର୍ଯ୍ୟାୟ ପାଇଁ ଚିକିତ୍ସିତ ହେଉଛନ୍ତି।ଆସାମର ମନୋରଞ୍ଜନ ଜଗତର ଜଣାଶୁଣା ନାମ ଥିଲା କିଶୋର ଦାସଙ୍କର। ତାଙ୍କର ଅକାଳ ବିୟୋଗରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆ ପେଜ୍‌ରେ ପୋଷ୍ଟ ଲେଖି ନିଜର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି।

କିଶୋର ୩୦୦ ରୁ ଅଧିକ ମ୍ୟୁଜିକ୍ ଭିଡିଓରେ କାମ କରିଥିବା ବେଳେ ଟିଭି ସିରିଏଲ ବ୍ୟତୀତ ସେ ଅନେକ ବଡ ବଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

କିଶୋର ‘ଇଣ୍ଡିଆର ଗଟ୍ ଟ୍ୟାଲେଣ୍ଟ୍’ ଏବଂ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ମଧ୍ୟ ଭାଗ ନେଇଥିଲେ।

Related Posts