ବିଧାନସଭା ବଜେଟ ଅଧିବେଶନ: ୨୩ ଓ ୨୪ରେ କୋଭିଡ ଟେଷ୍ଟ

ଆସନ୍ତା ୨୫ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ତେବେ ଏହା ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ । ମାର୍ଚ୍ଚ ୨୩ ଓ ୨୪ରେ ଦୁଇଦିନ ଧରି ବିଧାନସଭାରେ ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ କରାଯିବ । ପୌର ନିର୍ବାଚନ ଥିବାରୁ ଜିଲ୍ଲାସ୍ତରରେ ବିଧାୟକମାନେ କରୋନା ଟେଷ୍ଟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କୋଭିଡ଼ କଟକଣା ଭିତରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏଥର ବି ୫ ଘଣ୍ଟା ଚାଲିବ ଗୃହ। ସ୍ବଳ୍ପ ଅଧିବେଶନରେ ଲମ୍ବା ପ୍ରସଙ୍ଗ ନେଇ ଗୃହରେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଅଧିବେଶନର ପ୍ରଥମ ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯିବ ।ସେହିଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଗୃହରେ ଆଲୋଚନା କରାଯିବ। ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ ପାରିତ କରାଯିବ।

ସେହିପରି ପୂର୍ବ ବ୍ୟବସ୍ଥା ଅନୁସାରେ ବିଧାୟକମାନେ ସାମାଜିକ ଦୂରତା ରଖି ବସିବା ବ୍ୟବସ୍ଥା କରାଯାଇଛି ବୋଲି ବାଚସ୍ପତି କହିଛନ୍ତି । ସେପଟେ ସ୍ବଳ୍ପକାଳୀନ ବଜେଟ ଅଧିବେଶନ କମ ଦିନ ପାଇଁ ବସୁଥିଲେ ମଧ୍ୟ ବେଶ ସରଗମର ହେବ । ଉଭୟ ଶାସକ ଓ ବିରୋଧି ଗୃହରେ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ। ଏବେଠାରୁ ବିରୋଧୀ ସଜବାଜ ଆରମ୍ଭ କରିଛନ୍ତି।ଆସନ୍ତା ୨୫ ତାରିଖରେ ବିଜେଡି ବିଧାକୟ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ ଶାସକ ଦଳ। ସେହିପରି ବିରୋଧୀ ମଧ୍ୟ ଚାଷୀ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

Related Posts