ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ, ମୁକାବିଲା ପାଇଁ କେନ୍ଦ୍ର ଅବହେଳା କଥା ଉଠାଇବ ବିଜେଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଆଜିଠୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟଦିବସ ରହିଛି। ୩ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ଦିନ ରହିଛି। ପ୍ରଥମ ଦିନରେ ୭ଟି ବିଲ୍‌ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ଏହି ଅଧିବେଶନରେ ମୋଟ୍‌ ୧୨ଟି ବିଲ୍‌ ଆସିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।ଏହି ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାକୁ ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ। ବିଜେପି କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରିବ ଏବଂ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବ। ଏପଟେ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ସଶୋଧନ ବିଲ୍ ଆଗତ କରିପାରନ୍ତି । ଏହି ସଂରକ୍ଷଣ ପାଇଁ ୩ ବର୍ଷ ହେଲା ଅଟିକିଛି ପୌର ନିର୍ବାଚନ ତେଣୁ ଏହି ବିଲ୍ ଉପରେ ବିଧାନସଭା ସରଗରମ ରହିବ । ବିନା ସୀମା ପୂନଃ ନିର୍ଦ୍ଧାରଣରେ କେମିତି ସରକାର ସଂରକ୍ଷଣ ଲାଗୁ କରିବେ ତାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ, ପୌର ନିର୍ବାଚନ କଥା ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ।

ବିଜେପି ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି। ରାଜଧାନୀରେ ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ,   ବହୁଚର୍ଚ୍ଚିତ ମାନସ ଦାସ ଘଟଣାରେ ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି, ମାହାଙ୍ଗା ଡବଲ୍‌ ମର୍ଡର୍‌ ତଦନ୍ତରେ ଚଞ୍ଚକତା ଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଉଛି। ମରୁଡି ପ୍ରସଙ୍ଗ, ସାର ଅଭାବ ଜନିତ ସମସ୍ୟା, ଜଳସେଚନର ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି , ଷ୍ଟାଫ ସିଲେକ୍ସନ କମିଶନରେ ଅନିୟମିତତା, କୋଟିଆ ସହ ରାଜ୍ୟରେ ଅନେକ ସ୍ଥାନରେ ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇବ ବିଜେପି ।

ସେହିପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଜେଡିର ଭୋଟ୍‌ବ୍ୟାଙ୍କ ରାଜନୀତିକୁ ବିରୋଧ କରାଯିବ। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବାର ମାନସିକତା କାରଣରୁ ରାଜ୍ୟବାସୀ ଆୟୁଷ୍ମାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା ଦୁର୍ନୀତି,  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା‌ ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦି ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇବ ବୋଲି ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି। ଏପଟେ କଂଗ୍ରସ ତାର ରଣନୀତି ପ୍ରସ୍ତୁତ କରିଛି। ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ । କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିଥିଲା। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା।ମରୁଡ଼ି ମୁକାବିଲା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ଷ୍ଟାଫ ସିଲେକ୍ସନ ଦୁର୍ନୀତି, ବିଜୁଳି ଦର ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାଣୁ ହୋଇ ରହିବା ଆଦି ପ୍ରସଙ୍ଗ କଂଗ୍ରେସ ପକ୍ଷରୁ ଉଠାଯିବ ବୋଲି ସୂଚନା ମିଳିଛି।

ସେହିପରି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଲା ବେଳେ ସିଧାସଳଖ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଉଠାଇଥିଲେ। ନିର୍ଦ୍ଦିଷ୍ଟ ଭାବେ ଚାଷ ପ୍ରସଙ୍ଗରେ କେନ୍ଦ୍ରର ଅବହେଳାକୁ ସେ ସମାଲୋଚନା କରିଥିଲେ। 

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୃହରେ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ (ସଂଶୋଧନ) ଅଧ୍ୟାଦେଶ-୨୦୨୧ ଉପସ୍ଥାପନ ହେବ। ସେହିପରି ଅନ୍ୟ ୬ଟି ବିଲ୍ ହେଲା, ଓଡ଼ିଶା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧, ଓଡ଼ିଶା ଜିଏସ୍ଟି ସଂଶୋଧନ ବିଲ-୨୦୨୧, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୧, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍‌-୨୦୨୧, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ-୨୦୨୧ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧।

Related Posts