ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ( ଏକାଦଶ ) ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭରେ ପ୍ରଥମେ ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପରେ ଗୃହକୁ ଅପରାହ୍ନ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ତେବେ ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ଧାମନଗରର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରଥମ ଥର ଲାଗି ବିଧାନସଭାରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ଏହାପରେ ନଭେମ୍ବର ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଡିସେମ୍ବର ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।

ଅନ୍ୟପଟେ ବିଧାନସଭାର ଏହି ଅଧିବେଶନରୁ କୋଭିଡ୍‌ କଟକଣା ହଟାଇ ଦିଆଯାଇଛି। କୋଭିଡ୍‌ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ। ବିଧାୟକ ମାନେ ନିଜ ନିଜ ସ୍ଥାନରେ ବସିପରିବେ । ସେହିଭଳି କଟକଣା ହଟିଥିବାରୁ ଏଥର ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନେ ପୂର୍ବପରି ବସି ଖବର ପରିବେଷଣ କରିବେ।