ଭାରତ ଯୋଡ଼ୋ ଯାତ୍ରା; ରାହୁଲ ଗାନ୍ଧୀଙ୍କ ସହ ଯୋଗଦେଲେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ଏବେ ମହାରାଷ୍ଟ୍ର ଛାଡ଼ି ମଧ୍ୟପ୍ରଦେଶରେ ପ୍ରବେଶ କରିଛି। ତେବେ ଆଜି ସକାଳେ ‘ଭାରତ ଯୋଡ଼ୋ ଯାତ୍ରା’ରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ଓ ପୁଅ ରେହାନ୍‌ ମଧ୍ୟ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋ‌ଗ ଦେଇଛନ୍ତି। ଉତ୍ତର ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକ ଦାୟିତ୍ବରେ ଥିବା ପ୍ରିୟାଙ୍କା ପ୍ରଥମ ଥର ପାଇଁ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇଛନ୍ତି। ତେବେ ମଧ୍ୟପ୍ରଦେଶରେ ପ୍ରିୟଙ୍କା ଏହି ପଦଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେବେ ବୋଲି ଆଗରୁ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା।

ଆଜି ସକାଳୁ ସେ ନିଜ ପରିବାର ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏନେଇ କଂଗ୍ରେସ ଟୁଇଟ କରି ସୂଚନା ଦେଇଛି। ରାହୁଲ ଓ ପ୍ରିୟଙ୍କା ପାଖକୁ ପାଖ ହୋଇ ଚାଲୁଥିବାର ଏକ ଫଟୋ ସେୟାର୍‌ କରି କଂଗ୍ରେସ ଲେଖିଛି ଯେ, ଆମେ ଏକତ୍ର ଚାଲିଲେ ପଦକ୍ଷେପ ଆହୁରି ସୁଦୃଢ଼ ହେବ। ଆଜି କଂଗ୍ରେସ ନେତା ସଚିନ ପାଇଲଟ୍‌ ମଧ୍ୟ ଯାତ୍ରାରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ମଧ୍ୟପ୍ରଦେଶରେ ପ୍ରବେଶ କରିଥିବା ଏହି ଯାତ୍ରା ୩୮୦ କିଲୋମିଟର୍‌ ଅତିକ୍ରମ କରି ରାଜସ୍ଥାନରେ ପହଞ୍ଚିବ। ଗତକାଲି ପଦଯାତ୍ରା ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ପ୍ରବେଶ କରିବା ବେଳେ ବହୁସଂଖ୍ୟକ କଂଗ୍ରେସ ସମର୍ଥକ ହାତରେ ତ୍ରିରଙ୍ଗ ପତାକା ଧରି ବୋଦ୍ରାଲି ଗାଁରେ ପହଞ୍ଚିଥିଲେ। ତେବେ ରାହୁଲଙ୍କ ନେତୃତ୍ୱରେ ତାମିଲନାଡୁର କନ୍ୟାକୁମାରୀରୁ ବାହାରିଥିବା ଏହି ପଦଯାତ୍ରା କ୍ରମଶଃ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛି। ଏହି ପଦଯାତ୍ରା କାଶ୍ମୀରରେ ଶେଷ ହେବ।

Related Posts