ଆଜିଠୁ ବିଧାନସଭାର ଶୀତ ଅଧିବେଶନ; ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛନ୍ତି ବିରୋଧୀ। ଆଦିବାସୀ ଜମି ହଡ଼ପ ଅଭିଯୋଗ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ୱାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି।

ସେପଟେ କଂଗ୍ରେସ କହିଛି ଆଞ୍ଚଳିକ ବୈଷମ୍ୟବାଦ, ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା, ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, ଦୁର୍ନୀତି, ସୀମା ବିବାଦ, ଦାଦନ, ବେକାରୀ ଭଳି ପ୍ରସଙ୍ଗ ଗୃହରେ ଉଠାଯିବ । ଅନ୍ୟପକ୍ଷରେ ଶାସକ ବିଜେଡି ବି ବିରୋଧୀଙ୍କ ସାମ୍ନା କରିବାକୁ ତୟାର୍ ରହିଛି । ଗତକାଲି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ।

ଆଜି ଅଧିବେଶନର ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହେବ। ଗତକାଲି ବିଜେଡି ପକ୍ଷରୁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି। ଆଉ କେହି ନାମାଙ୍କନ କରିନଥିବାରୁ ସେ ହିଁ ଉପବାଚସ୍ପତି ଭାବେ ଆଜି ଦାୟିତ୍ବ ନେବେ।

ସେପଟେ ଗତକାଲି ଶୀତ ଅଧିବେଶନ ପାଇଁ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ। ଅଧିବେଶନ ସମୟରେ ବିଧାନସଭାର ସୁରକ୍ଷାରେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୋଲିସ। ଡ୍ରୋନ ମଧ୍ୟ ବ୍ୟବହାର କରାଯାଇପାରେ । ମୋଟ ୩୦ଟି ସରକାରୀ କାର୍ଯ୍ୟଦିବସ ରହିଥିବା ଏହି ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ।

Related Posts