
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କାର୍ତ୍ତିକ ମାସ ଚାଲିଥିବାରୁ ଏବେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ପ୍ରବଳ ଭିଡ଼ ଯୋଗୁ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅସୁସ୍ଥ ମଧ୍ୟ ହୋଇପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।
ସେ କହିଛନ୍ତି, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ସେମାନଙ୍କୁ ଅନୁରୋଧ କରୁଛି। ଯେଉଁ ସମୟରେ କମ୍ ଭିଡ଼ ଥିବ,ସୂଚନା ନେଇ ସେହି ସମୟରେ ଆସିଲେ ଭଲ ହେବ। ଠାକୁରଙ୍କୁ ଦର୍ଶନ କରିବାର ଆଗ୍ରହ ସହ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆସିବାକୁ ସମସ୍ତଙ୍କୁ ଅନୁରୋଧ। ଆଜିଠାରୁ ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ଭକ୍ତଙ୍କୁ ସୂଚନା ଦେବା ପାଇଁ ମର୍ଚ୍ଚିକୋଟ ଛକ ଯାଏଁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯିବ। ଏହାସହିତ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏନେଇ ବିଶେଷ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।
ତେବେ ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ଯୋଗୁ ଭକ୍ତମାନେ ଅପେକ୍ଷା କରି କରି ବ୍ୟତିବ୍ୟସ୍ତ ହୋଇଯାଇଥିବା ଦେଖାଯାଇଥିଲା। କିଛି ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଆଜି ଗୋଟିଏ ଦିନ ନୁହେଁ, ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ। ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ହେତୁ ଅନ୍ୟ ତିନି ଦ୍ୱାର ବନ୍ଦ ଥିବାରୁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି।