ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇ-ମେଲ ଯୋଗେ ହତ୍ୟା ଧମକ, ଜଣେ ପୂର୍ବତନ ଆଇଆଇଟି ଛାତ୍ରଙ୍କୁ ଗିରଫ କଲା ଏଟିଏସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିବା ଜଣେ ଯୁବକଙ୍କୁ ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ( ଏଟିଏସ୍‌ ) ଗିରଫ କରିଛି। ଗିରଫ ଯୁବକଙ୍କ ବୟସ ୨୫ ବର୍ଷ ହୋଇଥିବାବେଳେ ତାଙ୍କୁ ଏଟିଏସ୍‌ ଉତ୍ତରପ୍ରଦେଶର ବଦାଉଁରୁ ଗିରଫ କରିଛି। ଯୁବକ ଜଣଙ୍କ କିଛି ଦିନ ତଳେ ଇ-ମେଲ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିଲେ।

ଗୁଜରାଟ ଏଟିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଅମନ ସକ୍ସେନା। ଆଇଆଇଟି ବମ୍ବେରୁ ଅମନ ବିଟେକରେ ଡିଗ୍ରୀ ହାସଲ କରିଛନ୍ତି। ତେବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇ ଜାମନଗର କାର୍ଯ୍ୟକ୍ରମରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚେତାବାନୀ ଦେଇଥିଲେ।

ଏପରି ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୁଜରାଟ ଏଟିଏସ୍‌କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଟିଏସ୍‌ ତଦନ୍ତ କରି ବଦାଉଁର ଆଦର୍ଶନଗରରୁ ଏହି ଧମକପୂର୍ଣ୍ଣ ଇ-ମେଲ ପିଏମଓକୁ ଆସିଥିବା ଜାଣିବାକୁ ପାଇଥିଲା। ଏହାପରେ ଦୁଇ ଜଣ ପୁଲିସ୍‌ ଅଧିକାରୀ ବଦାଉଁ ଯାଇ ଅମନଙ୍କୁ ତାଙ୍କ ଘରକୁ ଧରିଥିଲେ।

ସେଠାରୁ ତାଙ୍କୁ ବଦାଉଁ ପୁଲିସ୍‌ ଲାଇନ ନିଆଯାଇ ଅଧିକ ପଚରାଉଚରା କରାଯାଇଥିଲା। ଜେରା ବେଳେ ପୂରା ଘଟଣା ଉପର ଅମନ ପରାଦ ଉଠାଇଛନ୍ତି। ସେ ଭଲ ପାଉଥିବା ଜଣେ ଝିଅର ଅତି ଘନିଷ୍ଠ ବ୍ୟକ୍ତିଙ୍କୁ ବଦନାମ କରିବାକୁ ଚାହୁଁଥିଲେ। ତେଣୁ ତାଙ୍କ ନାଁରେ ଅମନ ପିଏମଓକୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ଅମନଙ୍କ ଠାରୁ ଏକଥା ଶୁଣି ମଧ୍ୟ ତଦନ୍ତ ବନ୍ଦ ହୋଇନାହିଁ। ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ କିମ୍ବା ଅମନ ଏକା ନା ଆଉ କିଏ ଘଟଣାରେ ସାମିଲ ଅଛନ୍ତି, ତା’ର ଛାନଭିନ ଏଟିଏସ କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Related Posts