ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ରଥଯାତ୍ରା ଆୟୋଜନକୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ପୁରୀ ଜିଲ୍ଲାପାଳ ଓ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା ପରେ ଆଇନମନ୍ତ୍ରୀ ବଡ ସୂଚନା ଦେଇ କହିଛନ୍ତି ଏଥର ଶୃଙ୍ଖଳିତ ରଥଯାତ୍ରା ଉପରେ ଫୋକସ୍ କରାଯାଇଛି । ରଥଯାତ୍ରା ପାଇଁ ଦଳାଚକଟାର ପୁନରାବୃତ୍ତି ନହେବା ଓ ଭିଡ ନିୟନ୍ତ୍ରଣ ବଡ ଚ୍ୟାଲେଞ୍ଜ ରହିବ ।
ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ ? କେମିତି ଭକ୍ତମାନେ ଦର୍ଶନ କରିବେ ? କେଉଁ ପଟେ ପଶିବେ ଆଉ କେଉଁ ପଟେ ବାହାରିବେ ? କେତେ ସମୟ ଦର୍ଶନ ଚାଲିବ କେତେ ବେଳେ ପହଡ଼ ପଡିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । କେମିତି ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଯେମିତି ସମସ୍ତ ରୀତିନୀତି ସମ୍ପନ୍ନ ହେବ ସେନେଇ ଦଇତାପତି ନିଯୋଗଙ୍କ ସହ ଆଲୋଚନା ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ଅତିଥି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଆଇନ ମନ୍ତ୍ରୀ ।
