ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): CHSE ମାର୍କରେ ତ୍ରୁଟି । ଇଂରାଜୀ ବିଷୟରେ ୧୦୦ରୁ ୧୦୨ ମାର୍କ ରଖିଲେ ରେଭେନ୍ସା ଛାତ୍ର। ରେଭେନ୍ସା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ରଙ୍କୁ ମିଳିଛି ଏଭଳି ମାର୍କ । ଛାତ୍ର ଜଣଙ୍କ ଇଂରାଜୀ ଥିଓରୀରେ ୮୨ ମାର୍କ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ରେ ୨୦ ମାର୍କ ଦିଆଯାଇଛି । ଯାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସା ଜୁନିୟର କଲେଜ କର୍ତ୍ତୃପକ୍ଷ । ରେଭେନ୍ସା ଜୁନିୟର କଲେଜ ଅଧ୍ୟକ୍ଷ ଚିରଞ୍ଜିବୀ ମହାପାତ୍ର କହିଛନ୍ତି, ଏହା କୌଣସି ବୈଷୟିକ ତ୍ରୁଟି କାରଣରୁ ହୋଇଥାଇପାରେ ।
ତେଣୁ କଲେଜ ତରଫରୁ ସିଏଚଏସଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯାହା ବାବଦରେ ସିଏଚଏସଇ ତରଫରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ରେଭେନ୍ସା ଜୁନିୟର କଲେଜର ଯୁକ୍ତ ଦୁଇ ଛାତ୍ର ବିଶ୍ୱଜିତ ଓରାମ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ନମ୍ବର ରଖିଛନ୍ତି । ସେପଟେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ଅକ୍ଷମଣୀୟ ଭୁଲକୁ ସ୍ବୀକାର କରିଛନ୍ତି ।
CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି, ଏହା କମ୍ପ୍ୟୁଟର ଜନିତ ତ୍ରୁଟି । ଏ ନେଇ ସଂଶୋଧନ କରାଯିବ । ଇଂରାଜୀ ବିଷୟରେ ୨୦ ମାର୍କ ଇଣ୍ଟରନାଲ ୮୦ ମାର୍କର ଥିଓରୀ ମାର୍କ ରହିଛି । ହେଲେ ରେଭେନ୍ସା ଜୁନିୟର ଛାତ୍ର ବିଶ୍ୱଜିତ ଓରାମଙ୍କ କ୍ଷେତ୍ରରେ ଇଂରାଜୀ ପେପର ଥିଓରୀରେ ବୋଧେ ୩ ମାର୍କ ଗ୍ରେସ୍ ଚଢ଼ିଛି । ଯାହା ଫଳରେ ୮୨ ମାର୍କ ହୋଇ ଯାଇଛି । ଆମେ ଏ ନେଇ ସ୍କ୍ରିନିଂ କରିବୁ । ଅନଲାଇନ୍ରେ ମିଳିଥିବା ମାର୍କସିଟ୍ରେ ତ୍ରୁଟି ଥାଇପାରେ ବୋଲି ସଫେଇ ଦେଇଛନ୍ତି ।
