ହ୍ରାସ ପାଉଛି ସୁପ୍ରିମକୋର୍ଟରେ ପଡ଼ି ରହିଥିବା ମାମଲାର ସଂଖ୍ୟା: ୧୩ଟି କାର୍ଯ୍ୟ ଦିବସରେ ୫,୨୦୦ଟି ମାମଲା ରଫାଦଫା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆରମ୍ଭ ହୋଇଯାଇଛି ତ୍ୱରିତ ଶୁଣାଣି ପକ୍ରିୟା | ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଳିତ ଦାୟିତ୍ୱ ନେବା ପରେ ବିଭିନ୍ନ ମାମଲାର ତ୍ୱରିତ ଶୁଣାଣି କରୁଛନ୍ତି | ଫଳରେ ସୁପ୍ରିମକୋର୍ଟରେ ପଡ଼ି ରହିଥିବା ମାମଲାର ସଂଖ୍ୟା ମଧ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି।

ଗଲା ୧୩ଟି କାର୍ଯ୍ୟ ଦିବସରେ ମୋଟ ୫,୨୦୦ଟି ମାମଲାକୁ ରଫାଦଫା କରାଯାଇଛି। ଏହି ସମୟରେ ୧୧୩୫ଟି ନୂଆ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହାର ଅର୍ଥ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଅପେକ୍ଷା କରିଥିବା ମାମଲା ସଂଖ୍ୟା ପ୍ରାୟ ୪ ହଜାର ହ୍ରାସ ପାଇଛି।

ନୂଆ ସିଜେଆଇଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସୁପ୍ରିମକୋର୍ଟ ଓକିଲ ସଂଘ ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ସିଜେଆଇ ଜଷ୍ଟିସ ଲଳିତ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଓ ଅନ୍ୟମାନଙ୍କ ସହଯୋଗ ପାଇଁ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଛି। ନୂଆ ଲିଷ୍ଟଂ ବ୍ୟବସ୍ଥାକୁ ନେଇ ବିଚାରପତିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଗୁଜବ ଭିତରେ ବି କାମ ହୋଇଛି।

ଲିଷ୍ଟଂକୁ ନେଇ ଅନେକ ପ୍ରକାରର କଥା କୁହାଯାଉଛି। କିନ୍ତୁ ଏଠାରେ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ନୂଆ ଲିଷ୍ଟଂ ବ୍ୟବସ୍ଥାକୁ ଲାଗୁ କରି ରିସ୍କ ନେଇଛୁ। ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ କିଛି କିଛି ସମସ୍ୟା ରହିବ। ଗତକାଲି ସୁଦ୍ଧା ପ୍ରାୟ ୫,୨୦୦ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ମାତ୍ର ୧୧୩୫ ନୂଆ ଆବେଦନ ରୁଜୁ କରାଯାଇଛି। ଏହା କେବଳ ମୋର ଭାଇ, ଭଉଣୀ ବିଚାରପତି ଓ ବାରର ସଦସ୍ୟମାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

Related Posts