
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଅନୁଭବ ଙ୍କୁ ନେଇ ଏବେ ଚାପରେ ବିଜେଡି ସୁପ୍ରିମୋ ନବୀନ ବାବୁ । ପତି – ପତ୍ନୀ ଙ୍କ ବିବାହ ବିଚ୍ଛେଦ ଝାମେଲା ର ଫର୍ଦ୍ଦ ଫର୍ଦ୍ଦ ଆରୋପ ପ୍ରତ୍ୟାରୋପ ଏବେ ମିଡ଼ିଆ ଓ ବିରୋଧୀଙ୍କୁ ଖୋରାକ ଯୋଗାଇଛି। ଚିନ୍ତାରେ ମାନ୍ୟବର ଙ୍କ କ୍ରାଇସିଶ୍ ଟିମ୍, ଅନୁଭବଙ୍କୁ ନେଇ କରିବେ କଣ୍ ?
ଏବେ ଦଳପତିଙ୍କ ଚାମ୍ବରରେ ଖାଲି ଗୋଟିଏ ଗୀତ ଦିନରାତି ବାଜୁଛି ସେଇଟା ହେଲା ବଲିଉଡ୍ ଫିଲ୍ମ ମେରା ଗାଁଓ ମେରା ଦେଶ୍ ର ଗୀତ, ‘ମାର୍ ଦିଆ ଯାଏ କି ଛୋଡ୍ ଦିଆ ଯାଏ’ ।
ଅର୍ଥାତ୍ ଦଳର ଇମେଜ୍ ଏବଂ ସଭାପତିଙ୍କ ଭାବମୂର୍ତ୍ତୀ ପାଇଁ ଅନୁଭବଙ୍କୁ ଦଳରୁ ବିଦା କରିବେ ନା ରଖିବେ ? ଏହି ଚର୍ଚ୍ଚା ଏବେ ମିଡିଆରେ ଛାଇଯାଇଛି ଏବଂ ବିରୋଧୀ ଏହାକୁ ନେଇ ପାଟିତୁଣ୍ଡ କରୁଥିବା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ନବୀନ ଓ ବିଜେଡି ପାଇଁ ଅନୁଭବ ଦେବଦୂତ ଭଳି ଓହ୍ଲାଇ ପଡ଼ିଛନ୍ତି । ଯେତେବେଳେ ମିଡିଆଠୁ ଆରମ୍ଭ କରି ବିରୋଧୀ କ୍ୟାମ୍ପ ଚାରିଆଡ଼େ ଅନୁଭବଙ୍କ ବିରୋଧରେ ଆଲୋଚନା ଚାଲିଛି, ଇସ୍ତଫା ଏବଂ ବହିସ୍କାର ପାଇଁ ବି ଦାବି ହେଉଛି ସେତେବେଳେ ଆପଣ ଭାବୁଥିବେ ଅନୁଭବ ବିଜେଡି ପାଇଁ ଦେବଦୂତ କିଭଳି ହେଲେ । ଅନୁଭବ ଏମିତି କ’ଣ କଲେ ଯେ ସେ ଏବେ ବିଜେଡି ପାଇଁ ବରଦାନ ସାଜିଛନ୍ତି ।
ମନେ ପକାନ୍ତୁ ହଠାତ ଶନିବାର ସକାଳୁ ବହୁଳ ପ୍ରସାରିତ ହେଉନଥିବା ଏକ ଖବରକାଗଜରେ ବର୍ଷା ପ୍ରିୟଦର୍ଶିନୀଙ୍କର ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଏବଂ ଭରଣପୋଷଣର ପିଟିସନକୁ ନେଇ ଖବର ପ୍ରକାଶ ପୂର୍ବର ଘଟଣାକୁ । ଅନୁଭବଙ୍କ ଇସ୍ୟୁ ଉଠିବାର ସପ୍ତାହ ପୂର୍ବରୁ 2ଟି ଘଟଣାକୁ ନେଇ ବିଜେଡି ଏବଂ ରାଜ୍ୟ ସରକାର ପାଣି ପିଇବା ଅବସ୍ଥାକୁ ଚାଲିଆସିଥିଲେ । ପ୍ରଥମ ଘଟଣାଟି ହେଉଛି ରାଜ୍ୟର 20ଟି ଜିଲ୍ଲାରେ ବନ୍ୟା ଆଉ ଏହାକୁ ନେଇ ସରକାରଙ୍କ ପ୍ରସ୍ତୁତି ଏକଦମ ଠପ୍ ଥିଲା । ଦ୍ବିତୀୟଟି ଘଟଣା ହେଲା କେବଳ ଯାଜପୁର ଜିଲ୍ଲାରେ 30ଟି ଘାଇ ହୋଇଛି । ଏହା ଭିତରେ ଆଉ ଏକ କଥା ସାମ୍ନାକୁ ଆସିଥିଲା । ମାମୁ-ଭଣଜା ଡିନାମାଇଟ ଲଗେଇ ଘାଇ କରିବା ଅଭିଯୋଗ । ଏଥିରେ ସିଧାସଳଖ ଜଣେ ବିଜେଡି ବିଧାୟକଙ୍କ ନାଁ ବି ସାମ୍ନାକୁ ଆସିଲ। ସରକାରଙ୍କୁ ଘାଇଲା କଲେ ବିରୋଧୀ। ଚର୍ଚ୍ଚା ଚାଲିଲା ଯେ ମଧ୍ୟମ ଧରଣର ବନ୍ୟାରେ ଏତେଗୁଡ଼ିଏ ଘାଇ କିଭଳି ହେଲା ? ଏହାକୁ ନେଇ ଯେତେବେଳେ ଚାରିଆଡ଼େ ଆଲୋଚନା ଚାଲିଲା ଯେ ବନ୍ଧ କାମକୁ ନେଇ ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନିତୀ ହୋଇଛି । ଦୁର୍ବଳ କାମ ହୋଇଥିବାରୁ ସବୁ ଧୋଇଗଲା ବୋଲି ବିରୋଧୀ ଅଭିଯୋଗ ବି କଲେ । ଏପରିକି ସର୍ବାଧିକ ଘାଇ ହୋଇଥିବା ଯାଜପୁରର ବରୀ ଅଞ୍ଚଳରେ ଚକ୍ରାନ୍ତ କରି ଠିକାଦାର ଏବଂ ସ୍ଥାନୀୟ ନେତାମାନେ କିଛି କୃତିମ ଘାଇ କରିଥିବା ଲୋକେ ଅଭିଯୋଗ ବି କଲେ ।
ଏହି କଥା ଧିରେ ଧିରେ ଦାନା ବାନ୍ଧୁଥିଲା, ସରକାରଙ୍କ ଉପରେ ସାଣିତ ଆକ୍ରମଣ ପାଇଁ ମିଡିଆ ଓ ବିରୋଧୀ ଶିବିର ଏହାକୁ ନେଇ ଯେତେବେଳେ ଖଣ୍ଡା ପଜାଉଥିଲେ ଠିକ୍ ସେତିକି ବେଳେ ରଥଯାତ୍ରା କୁ ନେଇ ବିବାଦ ଥମି ନ ଥିବା ବେଳେ ହଠାତ୍ ବଗଲା ଧର୍ମଶାଳା ଜମି ପ୍ଲଟିଂ ବିବାଦ ସରକାରଙ୍କୁ ଏକଦମ କୋଣକୁ ଠେଲିଦେଇଥିଲା । ସରକାର ନିର୍ଦ୍ଦିଷ୍ଟ ମୁଣ୍ଟିମେୟ ଲୋକଙ୍କ ପାଇଁ ଶହେ ବର୍ଷ ପୂରାତନ ଦାନ ସୂତ୍ରରେ ଥିବା ଏକ ଧର୍ମଶାଳାର ସମ୍ପତ୍ତିକୁ ଜମି କୁ ଦଲାଲ ଭଳି କରି ବିକ୍ରି କରିଛନ୍ତି । ଏହାର ଉତ୍ତର ବି ସରକାରଙ୍କ ପାଖରେ ନଥିଲା ଆଉ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ତାଙ୍କର ତୃତୀୟ ମହଲାର ପ୍ରମୁଖ IAS ଅଫିସରମାନେ ବଗଲା ଜମିକୁ ନେଇ ବେକଫୁଟ ରେ ଥିଲେ। ଏହାକୁ ନେଇ କଂଗ୍ରେସ ଓ ବିଜେପି ପୂରା ଘେରିଥିଲେ ସରକାରଙ୍କୁ । ବଡ଼ଦାଣ୍ଡଠାରୁ ନେଇକି ରାଜଧାନୀର ରାଜରାସ୍ତା ଯାଏ କଂଗ୍ରେସ ଚାରିଆଡ଼େ ଘେରିବା ଭିତରେ ବିଜେପି ଆଉ ଏକ ପାଦ ଆଗକୁ ଚାଲିଯାଇଥିଲା । ବଗଲା ବିବାଦ ପଛରେ ଥିବା ପେଞ୍ଚକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ସାରା ରାଜ୍ୟରେ ଡିଜିଟାଲ ସିଗ୍ନେଚର କ୍ୟାମ୍ପେନ ଆରମ୍ଭ କରିଥିଲା । ବିଜେପି ନେତାମାନେ କହିବାକୁ ଲାଗିଲେ ଯେ ଆମେ ନବୀନ ବାବୁଙ୍କ ମୁହଁରେ କଳା ବୋଳିବୁ । ୟାକୁ ନେଇକି ବିଜେଡି ଓ ସରକାରୀ କଳରେ ଥିବା ପ୍ର ଟିମ୍ ଓ ଇମେଜ୍ କନ୍ସଲଟାଣ୍ଟମାନେ ମଧ୍ୟ ଶଙ୍କାରେ ଥିଲେ ଯେ କ’ଣ କରାଯାଇପାରେ । ଏପରିକି କଂଗ୍ରେସ ପ୍ରମାଣ କରିଦେଲା ଯେ ଶ୍ରୀକ୍ଷେତ୍ର ର ସମ୍ପୂର୍ଣ ଜମି ଅଧିଗ୍ରହଣ ବେଆଇନ । ଅର୍ଥାତ ଯେଉଁମାନଙ୍କ ଠୁ ଜମି ଦେଇଛନ୍ତି ଓ ଯାହାକୁ ଜମି ଦେଇଛନ୍ତି ସମସ୍ତଙ୍କୁ ସରକାର ଠକିଛନ୍ତି । ଏହାକୁ ନେଇ ସରକାରଙ୍କ ପାଖରେ କୌଣସି ଉତ୍ତର ନଥିଲା କି ରାସ୍ତା ବି ନଥିଲା । ସରକାରଙ୍କ ହାତବାରିସିରେ ଥିବା ଗଣମାଧ୍ୟମ ସଂସ୍ଥାରେ ଥିବା ଦୃଶ୍ୟମାନ ଓ ଅଦୃଶ୍ୟ (PRO) ମାନେ ଲାଗିପଡ଼ିଥିଲେ ଯେ ଏହି ଖବର ଯେମିତି ବେଶି ଉଛୁଳା ନଯାଏ । କାରଣ ଏହି ଖବର ଉଛୁଳିଲେ ସରକାର ଫସିବେ ।
ଠିକ୍ ଏତିକି ବେଳେ ଏହି ଖବର ଉପରୁ ନଜର ହଟାଇବା ପାଇଁ ଉଦ୍ୟମ କଲେ ଆଉ ସେଇଟା ବି ବିଫଳ ହେଲା । କିଛି କୁଆଡ଼େ ନଥିଲେ ବି ହଠାଥ୍ ମାନବ ପ୍ରେମୀ ଆଦିତ୍ୟ ଦାସ ଅପମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ସାଇକୋ ଲେଡି କଥା ଆସିଲା । ଉଦେଶ୍ୟ ଥିଲା ଯେ ଗଣମାଧ୍ୟମ ଏବଂ ବିରୋଧୀଙ୍କ ଆଖି ସିଆଡ଼କୁ ଯିବ, କିନ୍ତୁ ତାହା କାମ ଦେଲାନାହିଁ । ଠିକ୍ ସେତିକି ବେଳେ ଶନିବାର ସକାଳୁ ଏକ ବହୁଳ ପ୍ରସାରିତ ହେଉନଥିବା ଖବର କାଗଜରେ ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ପିଟିସନ ଖବର ଆସିଲା । ଆଉ ତା’ ପରେ ଏହି ଖବର ଆଞ୍ଚଳିକ ଏବଂ ଜାତୀୟ ଗଣମାଧ୍ୟମରେ ଛାଇଗଲା। ଆଉ ବିରୋଧୀ ବଗଲା କୁ ଛାଡ଼ିକି ଚଗଲା ପଛରେ ଗୋଡ଼ାଇଲେ । ମିଡିଆର ହେଡ୍ଲାଇନ୍ରୁ ବି ଖସିଲା ନାହିଁ ଏହି ଖବର । ଘଣ୍ଟା ଘଣ୍ଟା ଧରି ନ୍ୟୁଜ୍ରୁମ୍ ଏବଂ ଷ୍ଟୁଡିଓ ଆଲୋଚନାରେ ବି ଏହି ଖବର ଛାଇ ରହିଲା । ବଗଲା ଇସ୍ୟୁକୁ ନେଇ ସରକାରଙ୍କୁ ହରଡ଼ଘଣାରେ ପକାଇଥିବା ବିଜେପି ନେତା ସମ୍ବିତ ପାତ୍ର ଏବଂ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ବି ଧୋଇ ହୋଇଗଲେ ।
ସେପଟେ ଅନୁଭବ ନାରୀଙ୍କୁ ସମ୍ମାନ ଦେଉନାହାନ୍ତି ତେଣୁ ତାଙ୍କୁ ଦଳରୁ ବହିସ୍କାର କରାଯାଉ ବୋଲି ଉଭୟ କଂଗ୍ରେସ୍ ଏବଂ ବିଜେପି ଦାବି କରୁଛନ୍ତି । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ କଥାକୁ ବି ଉଦାହରଣ ସ୍ବରୂପ ନିଆଯାଉଛି । ରଘୁ ମହାନ୍ତିଙ୍କୁ ଯେଭଳି ତାଙ୍କ ବୋହୂଙ୍କୁ ନିର୍ଯାତନା ଅଭିଯୋଗ ହଟାଇ ଥିଲେ ସେଭଳି ଅନୁଭବଙ୍କୁ ବି ହଟାଯାଉ । ଅବଶ୍ୟ ଏକଥା ଭିନ୍ନ ଯେ ରଘୁ ମହାନ୍ତିଙ୍କ ବିରୋଧରେ ଥାନାରେ ବା ପୋଲିସରେ ଅଭିଯୋଗ ହୋଇଥିଲା ।
ଅନ୍ୟପଟେ ନାମ ଗୋପନ ରଖି କିଛି ବିଜୁ ଜନତା ଦଳର ନେତାମାନଙ୍କର କହିବା କଥା ଯେ ଇଏତ ବ୍ୟକ୍ତିଗତ ବ୍ୟାପାର । ଅନୁଭବ ନିଜେ ତାଙ୍କ ପିଟିସନରେ ଲେଖିଛନ୍ତି ଯେ ବର୍ଷା ତାଙ୍କୁ ଶରିରୀକ ସମ୍ପର୍କ ପାଇଁ ଦେଉନଥିଲେ । ବିଚରା ପୁରୁଷ ପିଲା, ଭେଣ୍ଡିଆ ଟୋକା କରିବ କ’ଣ ? ଅନୁଭବଙ୍କୁ କଟକରୁ ଦିଲ୍ଲୀ, ଦିଲ୍ଲୀରୁ ଆମେରିକା ପୁଣି ଆମେରିକାରୁ କଟକ ଘୁରାଉଥିଲେ । ଯେ ଦେବି ଦେବି କହି ଦେଲେନି । ସେ ଆଉ କରିଥାନ୍ତେ କ’ଣ । ଇଏ ଆଜ୍ଞା ଦବା ନଦେବାକୁ ନେଇ ଝଗଡ଼ା, ସ୍ବାମୀ-ସ୍ତ୍ରୀ କିଏ କାହାକୁ ଦେଲା ନଦେଲା ସେକଥା କ’ଣ ନବୀନ ବୁଝିବେ । ନବୀନ ବାବୁ କ’ଣ ଯାଇ ଦେଖୁଛନ୍ତି କାହା ବେଡ୍ରୁମ୍ରେ କିଏ କାହାକୁ ଦେଉଛି ନା ନାହିଁ । ଆଉ କିଛି ବିଜେଡି ନେତାଙ୍କ କହିବା କଥା, ଯେଉଁମାନେ ଅନୁଭବଙ୍କ ବିରୋଧୀ ସେମାନେ କହୁଛନ୍ତି ଇଏ ସମ୍ପୂର୍ଣ୍ଣ ସଦ ସଂକ୍ରାନ୍ତୀୟ ଘଟଣା ଆଜ୍ଞା । ଇଏ ମଦୁଆ ଆଜ୍ଞା ମଦ ପାଇଁ ଏଭଳି କରୁଥିବା କୁହାଯାଉଛି । ଏକଥା ପୁଣି ନବୀନଙ୍କ ଆଡ଼କୁ ବି ଯାଉଛି । ତେଣୁ ଅନୁଭବଙ୍କ ନିସ୍ତାର ନାହିଁ ନବୀନ ବାବୁ ମଦୁଆକୁ ଛାଡ଼ିବେ ନାହିଁ ।
ଏଭଳି ବିତର୍କ ଏବଂ ସମାଲୋଚନାକୁ ଦଳପତି ଚୁପଚାପ୍ ବସି ଦେଖୁଛନ୍ତି । କାରଣ ଯେତିକି ବିଳମ୍ବ କରିବେ ସେତିକି ପୁରୁଣା ପ୍ରସଙ୍ଗଠାରୁ ବିରୋଧୀ ଏବଂ ମିଡ଼ିଆକୁ ଦୂରେଇ ନେଇଯିବାରେ ସଫଳ ହେବେ । ସବୁ କିଛି ଆଡ଼େଇ ଗଲା ପରେ ହିସାବ କରିବେ ଯେ ଅନୁଭବଙ୍କ ଦ୍ବାରା ଫାଇଦା ଅଛି ନା କ୍ଷତି ଅଛି । ଯଦି ନାହିଁ ତେବେ ତାଙ୍କର ବଳି ଚଢ଼େଇ ଦେବେ ।