
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାମିଲନାଡୁ କ୍ୟାବିନେଟ ସୋମବାର ରାଜ୍ୟରେ ଅନଲାଇନ ଗେମିଂ ଉପରେ ବ୍ୟାନ ଲଗାଇବା ପାଇଁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି। ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟରେ ଅନଲାଇନ ଗେମିଂ ଉପରେ ବ୍ୟାନ ଲାଗିବ। ଉଲ୍ଲେଖଯୋଗ୍ୟ ଯେ, ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ସୁପ୍ରିମକୋର୍ଟ ସେପ୍ଟେମ୍ୱର ୧୦ ତାରିଖରେ ତାମିଲନାଡୁ ସରକାରଙ୍କ ଦ୍ୱାରା ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଯାଚିକା ଉପରେ ନୋଟିସ ଜାରି କରିଥିଲେ ।ଏହା ପୂର୍ବରୁ ତାମିଲନାଡୁ ସରକାର ଅନଲାଇନ ଗେମ ରମି ଏବଂ ପୋକର ଆଦି ଉପରେ ରୋକ ଲଗାଇଥିଲେ । କିନ୍ତୁ ମାଦ୍ରାସ ହାଇକୋର୍ଟ ଏହି ବ୍ୟାନକୁ ରଦ୍ଦ କରିଥିଲେ । ପରେ ରାଜ୍ୟ ସରକାର ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତାମିଲନାଡୁ ସରକାର ମାଦ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ହାଇକୋର୍ଟ ତାମିଲନାଡୁ ଗେମିଂ ଏବଂ ପୋଲିସ ଆଇନ(ଅଧିନିୟମ) ୨୦୨୧କୁ ରଦ୍ଦ କରିଥିଲେ । ଏହି ଅନଲାଇନ ଗେମିଂକୁ ଅନିୟମିତ ରଖିବା ଉପରେ ରାଜ୍ୟ ସରକାର ନୂଆ ଆଇନ କରିପାରିବେ ବୋଲି ହାଇକୋର୍ଟ କହିଥିଲେ । ଅନ୍ୟପଟେ ତାମିଲନାଡୁ ସରକାର ଯୁକ୍ତି ରଖି କହିଥିଲେ ଯେ ଏହି ଅନଲାଇନ ଗେମରେ ବାଜି ଲଗାଇ ରାଜ୍ୟର ଯୁବ ପିଢୀ ଏବଂ ବୟସ୍କ ନିଜର ସମ୍ପୂର୍ଣ୍ଣ ଆୟକୁ ହରାଉଛନ୍ତି।