
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ଓଡ଼ିଶା ନିବେଶକ ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଗୋଟାଏ ୪୫ରେ ୩ ଦିନିଆ ଗସ୍ତରେ ବେଙ୍ଗାଲୁରୁ ବାହାରିବେ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ଏକ ଉଚ୍ଚସ୍ତରୀୟ କମିଟି ବେଙ୍ଗାଳୁରୁ ଗସ୍ତ କରିସାରିଛି।ବିଶେଷ କରି ରାଜ୍ୟ ସରକାର ଆଇ.ଟି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ବେଙ୍ଗାଲୁରୁରେ ଏହି ସମ୍ମିଳନୀକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାସହ ନଭେମ୍ବର ୩୦ରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ରେ ଯୋଗଦେବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ ନବୀନ।
ବିଶେଷଜ୍ଞମାନଙ୍କ ମତ ଅନୁସାରେ , ବେଙ୍ଗାଲୁରୁ ହେଉଛି ଆଇ.ଟି ହବ୍। ଟେଲିକମ୍ ଏବଂ ଆଇ. ଟି ନିବେଶକମାନଙ୍କର ପେଣ୍ଠ ସ୍ଥଳୀ। ଏହା ସହିତ ଛୋଟ ଛୋଟ ଷ୍ଟାର୍ଟ ଅପ୍ ଏଠାରେ ରହିଛି। ଏପରିକି ଅନେକ ଓଡ଼ିଆ ବେଙ୍ଗାଳୁରୁରେ କାମ କରୁଥିବା ବେଳେ, ସେମାନଙ୍କର ନିଜର ଷ୍ଟାର୍ଟ ଅପ୍ ରହିଛି। ତେଣୁ ବେଙ୍ଗାଲୁରୁରେ ନିବେଶକ ସମ୍ମଳିନୀ ହେଲେ , ଓଡ଼ିଆମାନେ ମଧ୍ୟ ଓଡ଼ିଶା ଆସି ନିଜର ଷ୍ଟାର୍ଟ ଅପ୍ ଖୋଲିବା ପାଇଁ ଆଗ୍ରହୀ ହେବେ।