ଗୁଜୁରାଟର ସଫେଇ କର୍ମୀଙ୍କ ସହ ନିଜ ବାସଭବନରେ ମଧ୍ୟାହ୍ନ ଭୋଜନ କଲେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆମ ଆଦମୀ ପାର୍ଟି ସେଠାରେ ସରକାର ଗଠନ କରିବାକୁ ଜୋରଦାର ପ୍ରୟାସ କରୁଛି। ଆପ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି। ନିକଟରେ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟ ଗସ୍ତ ସମୟରେ ଦଳିତ ଝାଡୁଦାର ହର୍ଷ ସୋଲାଙ୍କିଙ୍କ ସହ ତାଙ୍କ ଘରେ ଭୋଜନ କରିଥିଲେ। ଏହାପରେ କେଜ୍ରିୱାଲ ହର୍ଷ ସୋଲାଙ୍କିଙ୍କୁ ତାଙ୍କ ଘରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣକୁ ଗ୍ରହଣ କରି ସୋମବାର ହର୍ଷ ଓ ତାଙ୍କ ପରିବାର ବିମାନ ଯୋଗେ ଗୁଜୁରାଟରୁ ଦିଲ୍ଲୀରେ ପହଞ୍ଚିଥିଲେ।ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ରାଘବ ଚଡ୍ଡା ସ୍ୱାଗତ କରିଥିଲେ।

ମଧ୍ୟାହ୍ନ ଭୋଜନ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ହର୍ଷ ସୋଲାଙ୍କି, ତାଙ୍କ ମା ଓ ଭଉଣୀ ଆମ ନିମନ୍ତ୍ରଣ କ୍ରମେ ଆମ ଘରକୁ ଆସି ମୋ ପରିବାର ସହିତ ମଧ୍ୟାହ୍ନ ଭୋଜନ କଲେ। ଗୁଜୁରାଟରୁ ଆମ ଘରକୁ ଏ ପର୍ଯ୍ୟନ୍ତ ଆସିଥିବାରୁ ମୁଁ ତାଙ୍କ ପୁରା ପରିବାରକୁ ଧନ୍ୟବାଦ ଦେଉଛି। କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଗୁଜୁରାଟରୁ ହର୍ଷ ସୋଲାଙ୍କିଙ୍କ ପରିବାରକୁ ଆମ ଘରେ ଚର୍ଚ୍ଚା କରିବା ମୋର ସୌଭାଗ୍ୟ ଥିଲା। ଆମ ଦୁହିଁଙ୍କ ପରିବାର ଏକାଠି ବସି ଖାଦ୍ୟ ଖାଇଲେ। ଭଗବାନ ତାଙ୍କ ସମଗ୍ର ପରିବାରକୁ ସୁଖ ଓ ସମୃଦ୍ଧିରେ ଆଶୀର୍ବାଦ କରନ୍ତୁ।

ଦିଲ୍ଲୀରେ କେଜ୍ରିୱାଲଙ୍କୁ ଭେଟିବା ପରେ ହର୍ଷ ସୋଲାଙ୍କି ଭାବପ୍ରବଣ ହୋଇଯାଇଥିଲେ। ସେ କହିଛନ୍ତି ଯେ, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ନେତା ଦଳିତ ସମାଜର ଲୋକଙ୍କୁ ନିଜ ଘରକୁ ଖାଇବାକୁ ଡାକିଥିଲେ। ମୋତେ ଏହି ଘଟଣା ଖୋଲା ଆଖିରେ ସ୍ୱପ୍ନ ଦେଖିବା ଭଳି ଲାଗୁଛି ବୋଲି ସେ କହିଥିଲେ।

Related Posts