
ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ): ହାୱଡାରୁ ପୁରୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍ ସୋମବାର ସକାଳେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ପଣପଣା ଷ୍ଟେସନ୍ ଦେଇ ଚଳାଚଳ କରିଛି। ସୂଚନା ଅନୁଯାୟୀ ଏଠାରେ ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ବିଳମ୍ବରେ ଚଳାଚଳ କରୁଥିଲା। ଏହି ଷ୍ଟେସନ୍ ନିକଟରେ ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୧୫/୨୦ କିମି ବେଗରେ ମନ୍ଥର ଗତିରେ ଯାଇଥିବା ଜଣାଯାଇଛି। ଟ୍ରାକ୍ ମରାମତି ପରେ ଏହି ରାସ୍ତାରେ ରେଳ ଚଳାଚଳ ସ୍ବାଭାବିକ ଆରମ୍ଭ ହୋଇଛି।
ଏଣେ ସକାଳ ୯ଟାରେ କରମଣ୍ଡଳ ଏକ୍ସପ୍ରେସ୍ ବି ଅତିକ୍ରମ କରିଛି ଦୁର୍ଘଟଣା ସ୍ଥଳ। ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି। ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍।
ଏଣେ ଦୁର୍ଘଟଣାସ୍ଥଳରେ ଅପ ଓ ଡାଉନ୍ ଲାଇନ୍ ମରାମତି କାମ ସରିଥିବାରୁ ଏହି ବାଟ ଦେଇ ଯାଉଥିବା କେବଳ ଦୁଇଟି ଟ୍ରେନକୁ ବାଦ୍ ଦେଇ ବାକି ସବୁ ଟ୍ରେନ୍ ସ୍ବାଭାବିକ ଭାବେ ଚଳାଚଳ କରୁଛି। ଦୁଇଟି ଟ୍ରେନ୍ ବାତିଲ ହୋଇଛି। ଏହି ଦୁଇଟି ଟ୍ରେନ୍ ହେଲା ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍। ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ମରାମତି କାମ ଚାଲୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ରହିଛି।