ନିଖୋଜ ବ୍ୟକ୍ତିଙ୍କୁ ନିଜ ପରିବାରକୁ ହସ୍ତାନ୍ତର ନକରିବା ଯାଏ ଆମ ଦାୟିତ୍ୱ ସରିନି: ରେଳ ମନ୍ତ୍ରୀ

ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୫୧ ଘଣ୍ଟାର ଅନବରତ ପୁନରୁଦ୍ଧାର କାର୍ଯ୍ୟ ପରେ ଶେଷରେ ବାହାନଗାରେ ଗଡ଼ିଛି ଟ୍ରେନ୍ । ଟ୍ରେନ୍ ଗଡ଼ିବା ପରେ ପ୍ରତିକ୍ରିୟା ଦେଇ ରେଳ ମନ୍ତ୍ରୀ କହିଛନ୍ତି ଯେ, ଏତିକିରେ ଆମର ଦାୟିତ୍ୱ ସରିନି। ରେଳ ମନ୍ତ୍ରୀ ଭାବୁକ ହୋଇ କହିଛନ୍ତି, ଏବେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଉଭୟ ଦିଗରୁ ରେଳ ଚଳାଚଳ ପାଇଁ ରାସ୍ତା ସଫା ହୋଇଛି। ହେଲେ ଏ ଯାବତ ଆମ ଦାୟିତ୍ୱ ଶେଷ ହୋଇନି।

ଏପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ । ସେମାନଙ୍କୁ ଖୁବ୍‌ ଶୀଘ୍ର ଖୋଜି ବାହାର କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏପର୍ଯ୍ୟନ୍ତ ନିଖୋଜଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଇନି। କିନ୍ତୁ ଏହି ଦୁର୍ଘଟଣା ପରେ ଶହ ଶହ ଯାତ୍ରୀ ନିଖୋଜ ଥିବା ଜଣାଯାଇଛି।

ଦୁର୍ଘଟଣା ଖବର ପାଇ ବିଭିନ୍ନ ରାଜ୍ୟରୁ ଆସି ଲୋକେ ନିଜ ପରିଜନଙ୍କୁ ଖୋଜୁଥିବା ବେଳେ ମେଡିକାଲ ମେଡିକାଲ ବୁଲିବା ସହ ମୃତଦେହ ରହିବା ସ୍ଥାନରେ ବି ଟିକିନିଖି ଦେଖୁଛନ୍ତି। ହେଲେ ସମୟ ଗଡି ଚାଲିଥିବା ବେଳେ ନିଜ ପରିଜନଙ୍କୁ ନ ପାଇ ସେମାନେ ଭାଙ୍ଗି ପଡ଼ୁଛନ୍ତି। ସେପଟେ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବାକୁ ପ୍ରଶାସନ ଓ ପୁଲିସ୍‌ ମଧ୍ୟ ଚେଷ୍ଟା ଚଳାଇଥିବା ରେଳ ମନ୍ତ୍ରୀ କହିଛନ୍ତି।

Related Posts