ବାରବାଟୀ ମହାଲଢ଼େଇ: ଟିମ୍‌ ଇଣ୍ଡିଆର ସ୍ବତନ୍ତ୍ର ରଣନୀତି

(ସତ୍ୟପାଠ ସ୍ପୋର୍ଟ୍ସ ଡେସ୍କ) କଟକ: ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ହେବ ବିଗ୍‌ ବ୍ୟାଟଲ । ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ସିରିଜ୍‌ରେ ଉଭୟ ଟିମ୍‌ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଜ ଟିମ୍‌ ୮ ୱିକେଟରେ ବିଜୟୀ ହୋଇଥିବା ବେଳେ ବିଶାଳ ଭାଇଜାକ୍‌ରେ କର ବା ମର ମ୍ୟାଚ୍‌ରେ ୧୦୭ ରନ୍‌ରେ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ ।

ଚେନ୍ନାଇରେ ଫେଲ୍‌ ମାରିଥିବା ଭାରତୀୟ ଓପନର୍‌ ରୋହିତ ଓ ରାହୁଲ ଦ୍ବିତୀୟ ଦିନିକିଆରେ ଚମତ୍କାର ଶତକ କରିଥିବା ବେଳେ ଦୁଇଟି ଯାକ ମ୍ୟାଚରେ କିଛି କମାଲ କରିପାରିନାହାନ୍ତି  କ୍ୟାପଟେନ କୋହଲି । ତେବେ ମିଡଲ ଅର୍ଡରରେ ଶ୍ରେୟସ ଆୟର ଓ  ରିଷଭ ପନ୍ତ ଦୁଇଟି ଯାକ ଦିନିକିଆରେ ଆଖିଦୃଶିଆ ପ୍ରଦର୍ଶନ କରି ବ୍ୟାଟିଂକୁ ସୁଦୃଢ଼ କରିଛନ୍ତି । ତେବେ ଦଳ ପାଇଁ ଚିନ୍ତାର କାରଣ ସାଜିଛି ଖରାପ ଫିଲ୍‌ଡିଂ ଓ ବୋଲିଂ କମ୍ବିନେସନ । ଭାଇଜାକ୍‌ ଭିକ୍ଟୋରିର କର୍ଣ୍ଣଧାର ସାଜିଥିବା କୁଲଦୀପ ଯାଦବ ଓ ମହମ୍ମଦ ଶାମିଙ୍କୁ ଛାଡ଼ିଦେଲେ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି । ଆହତ ଦୀପକ ଚହରଙ୍କ ସ୍ଥାନରେ ପେସର୍‌ ନବଦୀପ ସୈନି ଦିନିକିଆରେ ଡେବ୍ୟୁ କରିବାର ସମ୍ଭାବନା ରହିଛି । ପେସର୍‌ ଶାର୍ଦ୍ଦୁଲ ଠାକୁର ଓ ପଞ୍ଚମ ବୋଲ୍‌ର ଭାବେ ଅଲ୍‌ରାଉଣ୍ଡର ଜାଡେଜା ଖେଳିବା ବି ଏକପ୍ରକାର ନିଶ୍ଚିତ । ..  ସିରିଜ୍‌ର ଶେଷ ମ୍ୟାଚ ପୂର୍ବରୁ ଶନିବାର ଦୁଇ ଦଳ ମୈଦାନରେ ଜୋରଦାର ଅଭ୍ୟାସ କରିଛନ୍ତି । ଶନିବାର ପୂର୍ବାହ୍ନରେ ପ୍ରଥମେ ଟିମ୍‌ ଇଣ୍ଡିଆ ଖେଳାଳି ପିଚ୍‌ ଓ ପଡ଼ିଆ ଅନୁଧ୍ୟାନ କରି ନେଟ୍‌ ପ୍ରାକ୍ଟିସ କରିଥିବା ବେଳେ ଅପରାହ୍ନରେ ଅଭ୍ୟାସ କରିଥିଲା ଇଣ୍ଡିଜ ଟିମ୍‌ ।  ଦିବା ରାତ୍ର ମ୍ୟାଚ୍‌ ହୋଇଥିବାରୁ କାକର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ତେବେ ଦଳ ଏଥିପାଇଁ ପ୍ରସ୍ତୁତ  ବୋଲି କହିଛନ୍ତି ଯୁବ ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର

କିରନ ପୋଲାର୍ଡଙ୍କ କ୍ୟାପଟେନସିପରେ କ୍ୟାରିବିଆନ ଟିମ୍‌ ଅଧିକ ଲଢୁ଼ଆ ଖେଳ ପ୍ରଦର୍ଶନ କରିଛି । ସବୁ ମ୍ୟାଚ ଜିତିବାରେ ସଫଳ ହୋଇନଥିଲେ ବି କଡ଼ା ଫାଇଟ୍‌ ଦେଇଛି ଦଳ । ବ୍ୟାଟିଂରେ ହୋପ୍‌, ହେଟମାୟର, ପୁରନ୍‌ ଓ ବୋଲିଂରେ କିମୋ ପଲ୍‌ ଓ କଟ୍ରେଲ୍‌ ଭଲ ପ୍ରଦର୍ଶନ କରିଛନ୍ତି । ଦଳର ସ୍ପିନର ସେତେଟା ପ୍ରଭାବିତ କରିପାରିନାହାନ୍ତି । ତେବେ ନିର୍ଣ୍ଣାୟକ ମ୍ୟାଚ ପାଇଁ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ଇଣ୍ଡିଜ କୋଚ ଫିଲ୍‌ ସିମନ୍ସ । ବାରବାଟୀରେ ଟସ୍‌ର ନିର୍ଣ୍ଣାୟକ ଭୂମିକା ନେବ । କିନ୍ତୁ  ପ୍ରଥମ ବ୍ୟାଟିଂ କଲେ ଦଳ ୩୨୦ରୁ ୩୩୦ ରନ୍‌ର ଟାର୍ଗେଟ୍‌ ଦେବାକୁ ଚେଷ୍ଟା କରିବ ବୋଲି ସିମନ୍‌ସ କହିଛନ୍ତି ।

ବାରବାଟୀରେ ଆୟୋଜିତ ୧୮ଟି ଦିନିକିଆରେ ଭାରତର ରେକର୍ଡ ବେଶ୍‌ ଭଲ ରହିଛି । ଦଳ ଏଠାରେ ୧୬ଟି ଦିନିକିଆ ଖେଳି ୧୨ଟିରେ ବିଜୟୀ ହୋଇଛି । ସେହିଭଳି ବାରବାଟୀରେ ଇଣ୍ଡିଜ ବିପକ୍ଷରେ ଖେଳିଥିବା ସମସ୍ତ ତିନିଟି ଯାକ ମ୍ୟାଚ୍ ଜିତିବାରେ ଟିମ୍‌ ଇଣ୍ଡିଆ ସଫଳ ହୋଇଥିବାରୁ ଆଜିର ମ୍ୟାଚ୍‌କୁ ବି ଜିତିବାକୁ ସ୍ବତନ୍ତ୍ର ରଣନୀତି କରିଛି ଦଳ । ତେବେ ମ୍ୟାଚ୍‌ରେ ଟସ୍‌ ଏବଂ କାକର ଏହି ଦୁଇଟିର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କୁହାଯାଉଛି, ତେଣୁ ସବୁ କ୍ରୀଡ଼ା ପ୍ରେମୀଙ୍କ ନଜର ଟସ୍‌ ଉପରେ ରହିଛି ।

Related Posts