
କାହିଁକି ଫେରିଯିବ ବାଘୁଣୀ ‘ସୁନ୍ଦରୀ’ ?
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସାତକୋଶିଆର ବାଘୁଣୀ ‘ସୁନ୍ଦରୀ’। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ(NTCA) କର୍ତୃପକ୍ଷଙ୍କ ପକ୍ଷରୁ ଏଭଳି ଚିଠି ପାଇବା ପରେ ଚେଇଁ ଉଠିଛି ଜଙ୍ଗଲ ଓ ପରିବେଶ ବିଭାଗ । କେଉଁଠି ରହିଲା ତ୍ରୁଟି ? କାହିଁକି ଏଭଳି କଡ଼ା ଭାଷାରେ ଆଭିମୁଖ୍ୟ ସ୍ପଷ୍ଟ କଲା ଏନ୍ଟିସିଏ ? ଓଡ଼ିଶାରେ କ’ଣ ସତରେ ବାଘ ସୁରକ୍ଷିତ ନୁହନ୍ତି ? ନା ଏହା ପଛରେ ଆଉ କିଛି କାରଣ ରହିଛି ? ଏଭଳି ବିଷୟକୁ ନେଇ ବନ ବିଭାଗର ଅଧିକାରୀମାନେ ଘନ ଘନ ବୈଠକ କରିବା ସହ ଆଲୋଚନା କରିଛନ୍ତି । କାହିଁକି ଏତେ ବଡ଼ ପ୍ରକଳ୍ପରୁ ଓହରିଗଲା ଏନ୍ଟିସିଏ ତାକୁ ନେଇ ବି ନାନା କଳ୍ପନାଜଳ୍ପନା ବି ଆରମ୍ଭ ହୋଇଯାଇଛି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଓଡ଼ିଶାକୁ ମିଳିଥିବା ଅର୍ଥକୁ ଠିକ୍ ଭାବେ ଖର୍ଚ୍ଚ କରାଯାଇ ନଥିବା ନେଇ ଏନ୍ଟିସିଏ ପକ୍ଷରୁ କୁହାଯିବା ପରେ ତନାଘନା ଆରମ୍ଭ ହୋଇଛି । ଓଡ଼ିଶାକୁ ମୋଟ କେତେ ଟଙ୍କା ମିଳିଛି ? କେଉଁ କ୍ଷେତ୍ରରେ କେତେ ଟଙ୍କା ବ୍ୟୟ କରାଯାଇଛି ? ବାକି ଆଉ କେତେ ଟଙ୍କା ରହିଛି ? ତାହାର ସବିଶେଷ ତଥ୍ୟ ଖୋଜି ବାହାର କରିଛି ବନ ବିଭାଗ ।
ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶାକୁ କେତେ ଟଙ୍କା ମିଳିଛି ?
ସୂତ୍ର ଅନୁସାରେ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପାଇଁ ୫ ବର୍ଷରେ ୨୬ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା । ୬୦:୪୦ ଅନୁପାତରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା । ସେହି ଅନୁଯାୟୀ ଓଡ଼ିଶାକୁ ମୋଟ ୩.୨୨ କୋଟି ଟଙ୍କା ମିଳିଥିଲା । ସେଥିମଧ୍ୟରୁ ୨.୫୬ କୋଟି ଖର୍ଚ୍ଚ ହୋଇଛି । ବାକି ଟଙ୍କାରେ ‘ସୁନ୍ଦରୀ’ର ଏନ୍କ୍ଲୋଜର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଜାନୁଆରି ମାସରୁ ଏ ଦିଗରେ ପଦକ୍ଷେପ ନିଆଯିବାର ଥିଲା । ତା’ ପୂର୍ବରୁ ଏନ୍ଟିସିଏ ପ୍ରକଳ୍ପକୁ ବାତିଲ୍ କରିବା ସହ ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଆଗକୁ ବଢ଼ିବ ନାହିଁ ବୋଲି କହିଛି ।
ଅନୁଧ୍ୟାନରେ ସବୁ ଟଙ୍କା ସାରିଦେଲେ
ସେପଟେ ବନ ବିଭାଗର କହିବା କଥା ପ୍ରକଳ୍ପ ଲାଗି ଆସିଥିବା ଟଙ୍କା ମଧ୍ୟରୁ ଅଧିକାଂଶ ଅର୍ଥ ବାଘ ଓ ବାଘୁଣୀଙ୍କ ସ୍ଥାନାନ୍ତର ବାବଦରେ ଖର୍ଚ୍ଚ ହୋଇଛି । ବିଶେଷ କରି ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WLII) ପଛରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରକଳ୍ପର ଅଗ୍ରଗତି, ବାଘ ଓ ବାଘୁଣୀଙ୍କ ସ୍ଥାନାନ୍ତର ଆଦି ବାବଦରେ ଅନୁଧ୍ୟାନ ପାଇଁ ସେଠାକାର ବିଶେଷଜ୍ଞମାନେ ବାରମ୍ବାର ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟକୁ ଆସିଥିଲେ । ଓଡ଼ିଶାକୁ ବି ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନଙ୍କ ବାବଦରେ ବହୁ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ପ୍ରକଳ୍ପ ଟଙ୍କାକୁ କୌଣସି ବି ଅନ୍ୟ ସ୍ଥାନରେ ଖର୍ଚ୍ଚ କରାଯାଇ ନାହିଁ ବରଂ ଦୁଇଟି ଯାକ ବାଘଙ୍କ ପାଇଁ ସବୁ ଅର୍ଥ ଖର୍ଚ୍ଚ ହୋଇଛି । ବାଘଙ୍କୁ କାବୁ କରିବା ପାଇଁ ହାତୀଙ୍କୁ ବି ଅଣାଯାଇଥିଲା । ସେ ବାବଦରେ ବି ଅର୍ଥ ଖର୍ଚ୍ଚ ହୋଇଛି ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ୍ ନୁହେଁ। ଲୋକଙ୍କ ଆନ୍ଦୋଳନ ଯୋଗୁଁ ଏଭଳି ସମସ୍ୟା ଉପୁଜିଲା । ’ସୁନ୍ଦରୀ’କୁ ପ୍ରଥମେ ଗୋଟିଏ ହେକ୍ଟର ଅଞ୍ଚଳରେ ରଖାଯାଇଥିଲା । ପରବର୍ତୀ ସମୟରେ ତାହାର ଏନ୍କ୍ଲୋଜରକୁ ୨ ହେକ୍ଟରକୁ ବୃଦ୍ଧି କରାଯାଇଛି । ଆଗାମୀ ଦିନରେ ୫ ହେକ୍ଟର କରିବା ଲାଗି ପ୍ରକ୍ରିୟା ଚାଲିଥିଲା । ତା’ପୂର୍ବରୁ ଏନ୍ଟିସିଏ ଚିଠି ପଠାଇଛି ।
ପ୍ରକଳ୍ପ ବନ୍ଦ ପାଇଁ ସରକାରଙ୍କ ମୁର୍ଖାମୀ ଦାୟୀ
ସେପଟେ ପରିବେଶବିତ୍ ବିଶ୍ବଜିତ ମହାନ୍ତି ଉଭୟ ସରକାର ଏବଂ ବନ ବିଭାଗ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । “ମହାନ୍ତିଙ୍କ କହିବା କଥା ସରକାରଙ୍କ ମୁର୍ଖାମୀ ଯୋଗୁଁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହେବାକୁ ଯାଉଛି । କାରଣ ସାତକୋସିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହେବ ବୋଲି 2017 ମସିହାରେ ଜଣାପଡ଼ିଥିଲା । ସାତକୋସିଆର ଅବସ୍ଥା ଯାହା ଏଠାରେ ବାଘ ଛାଡ଼ିଲେ କୌଣସି ଲାଭ ହେବ ନାହିଁ କି ସଫଳତା ମିଳିବ ନାହିଁ ବୋଲି ସେବେଠାରୁ ଜଣାପଡ଼ିଥିଲା । କାରଣ ପ୍ରତି ଦିନ 50 ହଜାର ଗାଈ ଗୋରୁଙ୍କ ସମେତ ପ୍ରାୟ 10 ହଜାର ଲୋକ ନିଜର ଜୀବିକା ନିର୍ବାହ କରିବାକୁ ସାତକୋସିଆ ଭିତରକୁ ଯାଇଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ କୌଣସି ବାଘ ଶାନ୍ତିରେ ରହିପାରିବ ନାହିଁ । ନିଶ୍ଚିତ ଭାବେ ଲୋକଙ୍କ ସହ ବାଘର ସଂଘର୍ଷ ହେବ । ସେତେବଳେ ବି ଆମେ ସରକାରଙ୍କୁ ଜଣାଇଥିଲୁ ଯେ ଏହି ପ୍ରକଳ୍ପ ମୁର୍ଖାମୀର ଶେଷ ସୀମା ତେଣୁ ଏହାକୁ କେବେ କରିବା କଥା ନୁହେଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଭଳି କଥାକୁ କିଭଳି ବନ ବିଭାଗର ଅଧିକାରୀ ଜାଣିନପାରିବା । କେଉଁ କାରଣରୁ ସାତକୋସିଆରେ ବାଘ ଛାଡ଼ି ଲୋକଙ୍କ ଜୀବନ ସହ ଖେଳୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ବଜିତ ମହାନ୍ତି ।
ଭିଜିଲାନ୍ସ ତଦନ୍ତ ଦାବି କଲେ ପରିବେଶବିତ୍
ସାତକୋସିଆରେ ମଧ୍ୟପ୍ରଦେଶରୁ 6ଟି ବାଘ ଆଣି ଛାଡ଼ିବାକୁ ଯୋଜନା କରିଥିଲେ ସରକାର । ଏଥିପାଇଁ ବ୍ୟୟବରାଦ ହୋଇଥିଲା 25 କୋଟି ଟଙ୍କା । ବାଘ ବାବଦରେ ମଧ୍ୟ ପ୍ରଦେଶ ସରକାର ଟଙ୍କାଟିଏ ନେଇନଥିବା ବେଳେ ରାଜ୍ୟ ସରକାର 2.56 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହୁଛନ୍ତି । ତେଣୁ ଏହି ପ୍ରକଳ୍ପ ପାଇଁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ପରିବେଶବିତ୍ ବିଶ୍ବଜିତ ମହାନ୍ତି ।