ନବୀନଙ୍କ ‘ଗାନ୍ଧି ଗୋଟି’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କ୍ରିକେଟ ହେଉ କି ରାଜନୀତି ସବୁଥିରେ ସଫଳ ହେବାକୁ ହେଲେ ଦରକାର ଟାମିଂ ଅଫ ଷ୍ଟ୍ରାଇକ୍‌ ବା ଠିକ୍‌ ସମୟରେ ଠିକ୍‌ ସଟ୍‌ ଖେଳିବା । ସେହିଭଳି ରାଜନୀତିରେ ଠିକ୍‌ ସମୟରେ ଗୋଟି ଚଳାଇ ପ୍ରତିକୁଳ ପରିସ୍ଥିତିରେ ନିଜର ସ୍ଥାନକୁ ସୁରକ୍ଷିତ ରଖିବାରେ ଏଯାବତ ସଫଳ ହୋଇଛନ୍ତି ନବୀନ ପଟ୍ଟନାକ । ଯେଉଁଥିପାଇଁ ବିରୋଧୀଙ୍କ ଏତେ ହୋହ୍ଲା ଭିତରେ ବି ଜନମାନସରେ ନବୀନ ବଜାୟ ରଖିଛନ୍ତି ତାଙ୍କର ଗ୍ରହଣୀୟତା ।

ଭାରତୀୟ ରାଜନୀତିରେ ଯେଉଁ କେତେ ଜଣ ନେତା ସମୟ ଦେଖିକି ଗୋଟି ଚଳାଇବାରେ ସିଦ୍ଧ ହସ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଠିକ୍‌ ସମୟରେ କାହା ସହ ମେଣ୍ଟ କରିବେ, କେଉଁ ସହଯୋଗୀଙ୍କୁ ନେବେ ଆଉ କେଉଁ ସହଯୋଗୀଙ୍କୁ ମେଣ୍ଟରୁ ବାହାର କରିବେ । କାଳିଆଠୁ ଆରମ୍ଭ କରି ପିଠା ପର୍ଯ୍ୟନ୍ତ କେଉଁ ଯୋଜନା କେତେବେଳେ କରିବେ ତାହା ତାଙ୍କୁ ଜଣା । ଏସବୁ ନବୀନଙ୍କ ଟାମିଂର କମାଲ । ରାଜନୈତିକ ବିରୋଧୀ ତାଙ୍କୁ ପୋଖତ ଖେଳାଳି ଭାବେ ଆରମ୍ଭରୁ ସ୍ବୀକାର କରୁନଥିଲେ ମଧ୍ୟ ଯେଉଁଥିପାଇଁ ନବୀନ ବାବୁ ଗୋଟିଏ ପରେ ଗୋଟିଏ ସମସ୍ତଙ୍କୁ ମାତ୍ ଦେଇଚାଲିଛନ୍ତି । ଆଉ ଭାରତ ବର୍ଷରେ ନବୀନ ପଟ୍ଟନାୟକଙ୍କ ଭଳି ବହୁତ କମ୍‌ ନେତା ଥିବେ ଯିଏ କେବେ ହାରିବା କଣ ଦେଖିନଥିବେ ଏଯାବତ । ଏହାର ସଦ୍ୟତମ ଉଦାହରଣ ହେଲା ଯେତେବେଳେ ସାରା ଦେଶ CAA ଓ NRC ବିବାଦ ଓ ହିଂସାକୁ ନେଇ ଜଳୁଛି । ଠିକ୍‌ ଏହି ସମୟରେ ନବୀନ ବାବୁ ମୌକା ଦେଖି ସମ୍ବିଧାନର ମୁଖବନ୍ଧରେ ମହାତ୍ମା ଗାନ୍ଧିଙ୍କ ମୂଳ ମନ୍ତ୍ର ଅହିଂସାକୁ ସ୍ଥାନ ଦିଆଯାଉ ବୋଲି ଚାଲ୍‌କୁ ଦୋହରାଇଛନ୍ତି । CAA ହିଂସାକୁ ନେଇ ଯେତେବେଳେ ଦିଲ୍ଲୀ ଜଳୁଛି ଠିକ୍‌ ଏହି ସମୟରେ ଗାନ୍ଧିକଙ୍କ 150ତମ ଜୟନ୍ତୀ ପାଇଁ ହୋଇଥିବା ବୈଠକରେ ଯୋଗଦେବାକୁ ଯାଇ ପୁଣି ଏହି କଥାକୁ ଦୋହରାଇଛନ୍ତି ନବୀନ ।

ନବୀନ ବାବୁଙ୍କୁ ଏଇଥିପାଇଁ ସମୟ ଦେଖି ଚାଲ୍‌ ଖେଳିବାରେ ମାହିର କୁହାଯାଉଛି । କାରଣ ଆର୍ଥିକ ପରିସ୍ଥିତି ଖରାପ ଥିବାବେଳେ ଓଡ଼ିଶାରେ ବିଭିନ୍ନ ଯୋଜନାକୁ କାର୍ଯ୍ୟ କରିବା ପାଇଁ ବିଜେପି ସହ ହାତମିଳାଇଲେ । ଗାନ୍ଧିଙ୍କର ମୂଳ ଦର୍ଶନଠାରୁ ପୂରା ବୀପରିତ ଦର୍ଶନ ଉପରେ ଆଧାରିତ ନାଗରିକତା ସଂଶୋଧନ ଆଇନକୁ ସଂସଦରେ ଖୁଲମଖୁଲା ସମର୍ଥନ ଦେଲେ । ଧର୍ମ ଆଧାରରେ ଭାରତର ପରିଚୟକୁ ଦୂରରେ ରଖିବା ପାଇଁ ସଂଘର୍ଷ କରି ମହାତ୍ମା ଗାନ୍ଧିଙ୍କର ପୂରା ଜୀବନ ଚାଲିଗଲା । କିନ୍ତୁ CAA ନିରୋଳା ଧର୍ମ ଆଧାରରେ ହେଲା । ଯାହାକି ଗାନ୍ଧିଜୀଙ୍କ ମୂଲ୍ୟବୋଧର ପୂରା ବୀପରିତ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୋଟିଏ ପଟେ ନବୀନ ବାବୁ ଗାନ୍ଧିଙ୍କ ମୂଳମନ୍ତ୍ର ଅହିଂସା କଥା କହୁଛନ୍ତି ଆଉ ସେହି ଗାନ୍ଧିଙ୍କ ମୂଲ୍ୟବୋଧ ବିରୋଧୀ ନାଗରିକତା ସଂଶୋଧିତ ଆଇନକୁ ସମର୍ଥନ କରୁଛନ୍ତି । ସେପଟେ ସାରା ଦେଶରେ ଯେତେବେଳେ ନିଆଁ ଜଳୁଛି ସେତେବେଳେ ନବୀନ ବାବୁ ଅହିଂସା ଚାଲ୍‌ ଖେଳିଛନ୍ତି। ତେଣୁ ନବୀନ ବାବୁ ସମୟ ଦେଖିକି ଗୋଟି ଚଳାଇବାରେ ସିଦ୍ଧ ହସ୍ତ ବୋଲି କୁହାଯାଉଛି ।

ଅନ୍ୟପଟେ କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା କହିଛନ୍ତି । ପୂର୍ବରୁ ମଧ୍ୟ ସେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ଯୋଡ଼ିବା କଥା କହିଥିଲେ । ଏବେ ସେହି କଥାକୁ ପୁଣି ଦୋହରାଇଛନ୍ତି । ନବୀନ ବାବୁଙ୍କର ଅହିଂସା ଟ୍ବିଟ୍‌ରେ ଏବେ ରାଜନୀତିର ଗନ୍ଧ ବାରି ହେଉଛି । ଯେଉଁମାନେ ସାରା ଭାରତରେ ହିଂସାର ବାତାବରଣ ତିଆରି କରୁଥିଲେ । ଯେଉଁମାନେ ସାମ୍ପ୍ରଦାୟିକତାର ତାଣ୍ଡବ ତିଆରି କରୁଥିଲେ । ଯାହାଙ୍କୁ 2009 ମହିସାରେ ନବୀନ ବାବୁ କହିଥିଲେ ଯେ କନ୍ଧମାଳର ହିଂସା ପରେ ମୁଁ ଶିକ୍ଷା ଲାଭ କଲି କୌଣସି ପରିସ୍ଥିତିରେ ଏଭଳି ସାମ୍ପ୍ରଦୟିକ ରାଜନୈତିକ ଦଳ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସମ୍ପର୍କ ସ୍ଥାପନ କରିବି ନାହିଁ । କିନ୍ତୁ ଗତ ନିର୍ବାଚନ ପରଠୁ ଦେଖାଯାଉଛି ଯେ ନବୀନ ବାବୁ ସେମାନଙ୍କ ପଛରେ ଛିଡ଼ା ହୋଇଛନ୍ତି । ବିମୁଦ୍ରୀକରଣ କଥା ହେଉ କି CAA କଥା ହେଉ ନବୀନ ବାବୁ ସମୁ ସମୟରେ ସେମାନଙ୍କୁ ସମର୍ଥନ ଦେଇଛନ୍ତି । ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ାଇବା ପାଇଁ ମଧ୍ୟ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ସମର୍ଥନ ଦେଇ ଜିତାଇଛନ୍ତି । ନାଗରିକତା ସଂଶୋଧନ ଆଇନ ଭାରତର ସମ୍ବିଧାନ ବିରୋଧୀ, ଧର୍ମନିରପେକ୍ଷତାର ବିରୋଧୀ, ବିବିଦ୍ଧତା ମଧ୍ୟରେ ଏକତାର ବିରୋଧୀ । ଏଭଳି ଏକ ଆଇନକୁ କେଉଁ କାରଣରୁ କାହାର ପ୍ରରୋଚନାରେ ସମର୍ଥନ ଦେଲେ ଏକଥାକୁ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଯେତେବେଳ ସଂସଦରେ ବିଲ୍‌ ଉପରେ ଆଲୋଚନା ଚାଲିଥିଲା ଅମିତ ଶାହ ସ୍ପଷ୍ଟ ଭାବେ କହିଥିଲେ ଯେ CAA ଓ NRC ପରସ୍ପର ସହ ଯୋଡ଼ି ହୋଇ ରହିଛି । ଏହାକୁ ସାରା ଦେଶରେ ଲାଗୁ କରାଯିବ । ସେତେବେଳେ ବାମପନ୍ଥୀ ଦଳ ଏବଂ କଂଗ୍ରେସ ଦଳ ଏହାକୁ ବିରୋଧ କରୁଥିଲେ କିନ୍ତୁ ସେତେବେଳେ ବିଜେଡି ସଂସଦରେ ବିଲ୍‌ ଉପରେ ଆଲୋଚନା ନକରି ସମର୍ଥନ ଜଣାଇଥିଲା । ତେଣୁ ନବୀନ ବାବୁଙ୍କୁ ଆଜିର ଦିନରେ ହିଂସାର ସମର୍ଥନଙ୍କ ସହ ଛିଡ଼ା ହୋଇଥିବା ଦର୍ଶାଉଛି । ତେଣୁ ନବୀନ ବାବୁ ଧର୍ମନିରପେକ୍ଷତା ଏବଂ ହିଂସା ଖେଳାଉଥିବା ଲୋକଙ୍କୁ ଛାଡ଼ି ଆନ୍ତରିକତାର ସହ ଅହିଂସାର ପକ୍ଷ ହୁଅନ୍ତୁ ସାଧାରଣ ଲୋକଙ୍କ ସହ ଛିଡ଼ା ହୁଅନ୍ତୁ ବୋଲି କହିଛନ୍ତି ରାମକୃଷ୍ଣ ପଣ୍ଡା ।

Related Posts