ଆସନ୍ତା କାଲି ବାସୁଦେବପୁର, ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭୟଙ୍କର ବାତ୍ୟା ‘ୟାସ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ।ପୂର୍ବ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୫୦ ଓ ଦୀଘା ଠାରୁ ୨୪୦ ଏବଂ ସାଗରଦ୍ୱୀପ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ‘ୟାସ’ କ୍ରମଶଃ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା କାଲି ପୂର୍ବାହ୍ନରେ ବାସୁଦେବପୁର, ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଥିବା ନେଇ  ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୫୦-୧୬୫ କି.ମି. ରହିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ରହିଛନ୍ତି । ରାଜ୍ୟ ସରକାରଙ୍କ ୫ଜଣ ସଚିବ ଓ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ସର୍ବାଧିକ ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ସେମାନେ ସେଠାରେ ସ୍ଥାନାନ୍ତରଣ, ଉଦ୍ଧାର, ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ । ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ସଂସ୍ଥା, ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ଗ୍ରହଣ କରିବେ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବେ । ତେବେ ବାତ୍ୟା ପ୍ରଭାବିତ ଲୋକଙ୍କୁ ବିପଦସଂକୁଳ ଅଞ୍ଚଳରୁ ସ୍ଥାନାନ୍ତରଣ ପାଇଁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ପକ୍କା ଗୃହକୁ ମିଶାଇ ୬୮୯୧ଟି ଆଶ୍ରୟସ୍ଥଳ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲ୍ଲାର ତଳୁଆ ଅଞ୍ଚଳଗୁଡିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷ ଲୋକଙ୍କୁ ୫୫୨୩ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି । କରୋନାକୁ ନଜରରେ ରଖି ବାତ୍ୟା ଆଶୟସ୍ଥଳୀ ଗୁଡିକରେ ମାସ୍କ, ଖାଦ୍ୟ, ପାନୀୟଜଳ, ସାବୁନ, ସାନିଟାଇଜର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଘରେ ପାନୀୟ ଜଳ ଗଚ୍ଛିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି କୋଭିଡ ମହାମାରୀରକୁ ଦୃଷ୍ଟିରେ ରଖି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହ ହସ୍ପିଟାଲ ଗୁଡିକରେ ପାନୀୟଜଳ, ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ,ଔଷଧ, ଅକ୍ସିଜେନ ଇତ୍ୟାଦି ମହଜୁଦ ରଖାଯାଇଛି । କୋଭିଡ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରୀ ଦଳଙ୍କର ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ବାତ୍ୟା ପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ତରଫରୁ ୭୧୦ ଜେନେରେଟର, ୮୧୩ ଟ୍ୟାଙ୍କର, ପିଭିସି ଟାଙ୍କି ୧୭୮୬ ଓ ଗାଡି ପ୍ରସ୍ତୁତ କରି ରଖାଯାଇଛି । ସେହିପରି ଶକ୍ତି ବିଭାଗ ପକ୍ଷରୁ ୧୧୨୫ ଟି ଟ୍ରାନ୍ସଫରମର, ୧୬୦ ଜେନେରେଟର, ୫୦୦ ଯାନ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନଙ୍କୁ ନେଇ ୩୦୮ ଟି ଚିକିତ୍ସା ଦଳ, ୬୩୫ ଟି ଚିକିତ୍ସା ସହାୟକ କେନ୍ଦ୍ର ଓ ୨୧୫ ଟି ଜେନେରେଟର ସହ ଔଷଧ, ଓଆରଏସ୍‌, ଆନ୍ୟନ୍ୟ ଆନୁଷଙ୍ଗିକ ଇଂଜେକ୍ସନ, ମାସ୍କ, ସାବୁନ, ସାନିଟାଇଜର, ପିପିଇ କିଟ୍‌, ବ୍ଲିଂଚି ପାଉଡର ଆଦି ପ୍ରସ୍ତୁତ କରି ରଖାଯାଇଛି । ଏବେସୁଦ୍ଧା ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦୦ ଜଣଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ବାତ୍ୟା ‘ୟାସ୍‌’ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡା, ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାର ୩୦ ଗୋଟି ବ୍ଲକରେ ୫୦ ମି.ମି. ରୁ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି, କୁଜଙ୍ଗ, ରାଜନଗର, କେନ୍ଦ୍ରାପଡା ଓ ଅସ୍ତରଙ୍ଗ ବ୍ଲକରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହୋଇଛି । ବାତ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୫୨ ଟି ଏନ୍‌.ଡି.ଆର୍‌.ଏଫ୍ ଟିମ୍ ଏବଂ ୬୦ ରୁ ଉର୍ଦ୍ଧ୍ୱ ଓଡ୍ରାଫ୍ ଟିମ୍ ଓ ୨୦୬ ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୮୬ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ୮ ଟିମ୍ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ସେହିପରି ବାତ୍ୟା ସମୟରେ ଯୁବବର୍ଗ ବାହାରେ ବୁଲିବା ଓ ସେଲ୍‌ଫି ଉଠାଇବାରୁ ନିବୃତ୍ତ ରହିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି । 

Related Posts