# ମୋ ସ୍କୁଲ ର ସର୍ବୋତ୍ତମ ଉପଯୋଗ ; ଆଇଏଏସ ସଂଘ ହାତେଇନେଲା ବାଳିକା ବିଦ୍ୟାଳୟର ମୂଲ୍ୟବାନ ଜମି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଯେଉଁ ସମୟରେ ରାଜ୍ୟର ଆଇଏଏସ ବାବୁ ମାନଙ୍କର ବିଶ୍ୱସନୀୟତା ଏବଂ ସାଧାରଣରେ ଗ୍ରହଣୀୟତା ସର୍ବକାଳୀନ ନିମ୍ନଗାମୀ ଠିକ ସେହି ସମୟରେ ବାବୁମାନଙ୍କର ମେଳି ଏଭଳି କାମଟେ କରିଛନ୍ତି ଯାହାକୁ ନେଇ ଗଣମାଧ୍ୟମ ଏବଂ ସାଧାରଣରେ ଚାଲିଛି ଜବରଦସ୍ତ ସମାଲୋଚନା । ପ୍ରସଙ୍ଗଟା ହେଲା ରାଜଧାନୀର ପ୍ରାଇମ୍ ଲୋକେଶନରେ ଅବସ୍ଥିତ ଏକ ବାଳିକା ଉଚ୍ଚ ବିଦ୍ୟାଳୟର ବହୁ ମୂଲ୍ୟବାନ ଜମି ଉପରେ ପଡ଼ିଛି ରାଜ୍ୟ ଆଇଏଏସ ସଂଘର ଲୋଲୁପ ଦୃଷ୍ଟି। ପରିତାପର ବିଷୟ , ଯେତେବେଳେ କରୋନା ଦ୍ଵିତୀୟ ଲହର କୁ  ସାରା ରାଜ୍ୟ ଭୟ ଓ ଆଶଙ୍କା ଭିତରେ ଗତିକରୁଛି, ଠିକ ସେହି ସମୟ ମିଳିଲା ରାଜ୍ୟ ପ୍ରଶାସନ ଓ ଆଇଏଏସ ସଙ୍ଘ ନେତାଙ୍କୁ ଛୋଟ ଛୋଟ ଝିଅ ପିଲାଙ୍କ ସ୍କୁଲ ର ଜମି ର ଡିଲ ଫାଇନାଲ କରିଦେବା ପାଇଁ। କାରଣ ସଙ୍ଘ ର ବାବୁ ଭାଇ ମାନଙ୍କ ପାଇଁ  କରୋନା ହିଁ ପ୍ରକୃଷ୍ଟ ସମୟ କାହାକୁ କାନୋ – କାନ୍ ଖବର ହିଁ  ଯିବ ନାହିଁ ଆଉ ସେପଟେ ଡ଼ିଲ ବି ସିଲ୍ ହେଇଯିବ। ଆଉ ବାସ୍ତବରେ ସେୟ ମଧ୍ୟ ହେଲା। କେହି ଜାଣି ପାରିଲେନାହିଁ। ସଂଘ ଯେଉଁ ଜମି ହାତେଇଲା ସେଇଟା ହେଉଛି ଗଙ୍ଗନଗର ରେ ଥିବା ଗାର୍ଲ୍ସ ହାଇସ୍କୁଲ ର ପ୍ରାୟ ଅଢେ଼ଇ ଏକର ଜମି। କଣ ପାଇଁ ଏ ଜାଗା ସଂଘ ନେଉଛି? ଏହି ଜାଗାରେ ଆଇ ଏ ଏସ ସଂଘ ଏକ ଟ୍ରାଂଜିଟ୍ ହାଉସ୍ ନିର୍ମାଣ କରିବ।ଏ ଜାଗା ଚୟନ ପାଇଁ ସଂଘ ବାବୁ ଭାଇ ମାନଙ୍କ ଦୂରଦୃଷ୍ଟି କୁ ପ୍ରଶଂସା କରିବାକୁ ହେବ। ବରଂ ଝିଅ ପିଲାଙ୍କ ସ୍କୁଲ କୁ ଭୂମିହୀନ କରିବୁ ପରବା ନାଇଁ କିନ୍ତୁ  ଟ୍ରାଂଜିଟ୍ ହାଉସ୍ ଏଭଳି ଜାଗାରେ ହେବ ଯାହା କି ଏୟାରପୋର୍ଟରୁ ମାତ୍ର ଦେଢ଼ କି ମି, ରେଲୱେ ଷ୍ଟେସନରୁ ଅଢେ଼ଇ କିମି, ରାଜଭବନରୁ ଗୋଟିଏ କିମି, ଲୋକସେବା ଭବନରୁ ଦେଢ଼ କିମି, ଷ୍ଟେଟ ଗେଷ୍ଟ୍ ହାଉସ ଓ ସର୍କିଟ ହାଉସ୍ ରୁ ଦେଢ଼ କିମି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ବାବୁଙ୍କ ଶାସନଶୈଳୀ ର ଯେଉଁ ଗୋଟିଏ ବିଶେଷତ୍ଵ  ଯାହା କି ପ୍ରାୟତଃ ମିଡିଆରେ ଚର୍ଚା ହୁଏ ନାହିଁ । ସେଇଟା ହେଲା  ପ୍ରତ୍ୟେକ ନୀତି ନିଷ୍ପତ୍ତି ବା ଯୋଜନା ପଛରେ ଏକ ବେଯୋଡ ବିରୋଧାଭାସ। ସରକାର ଙ୍କ ନୀତି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଗୋଟିଏ କିନ୍ତୁ ପ୍ରଶାସନ ର କିଛି ଖାସ ବିରାଦରୀଙ୍କ ପାଇଁ ଭୟଙ୍କର ଡିଶକାଉଣ୍ଟ ବା ଛୁଟ। ଗୋଟିଏ ପଟେ ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକର ଦୂରାବସ୍ଥା କୁ ସୁଧାରିବା ବା ସଂସ୍କାର ପାଇଁ # ମୋ ସ୍କୁଲ କ୍ୟ।ମ୍ପେନ ଚାଲିଛି ସେପଟେ ସ୍କୁଲ ର ଜମି ବାଡ଼ି କୁ ଟେକି ଦିଆଯାଉଛି ଆଇ ଏ ଏସ ସଂଘର transit ହାଉସ ପାଇଁ। ରାଜ୍ୟରେ ସରକାରୀ ସ୍କୁଲ ଗୁଡ଼ିକର ଆଧୁନିକ ଭିତ୍ତିଭୂମି ନାହିଁ ବୋଲି ଘରୋଇ ସ୍କୁଲ ସହ ସରକାରୀ ସ୍କୁଲଗୁଡିକ ପ୍ରତିଦ୍ବନ୍ଦିତା କରିପାରିନାହାନ୍ତି ଠିକ୍ ସେତିକି ବେଳେ ସରକାର ଭିତ୍ତିଭୂମି ନ କରି ଜମି କୁ ଟେକି ଦେଉଛନ୍ତି। ଉଭୟ ସରକାର ଓ ବାବୁ ଭାଇଙ୍କ ସଂଘ ଯେଉଁ ଯୁକ୍ତି ଦେଉଛନ୍ତି ତାହା ଆହୁରି କ୍ଷୋଭର ବିଷୟ।  ସ୍କୁଲ ଜମି ନେବା ସପକ୍ଷରେ ଯୁକ୍ତି ହେଲା କି ବିଦ୍ୟାଳୟ ର ସଂପୃକ୍ତ ଅଢେ଼ଇ ଏକର ଜମି ବଳକା ଏବଂ ଅବ୍ୟବହୃତ ଥିଲା। ଏଠାରେ ପ୍ରଶ୍ନ ଉଠୁଛି, ସରକାରଙ୍କୁ ଭିତ୍ତିଭୂମି କରିବାକୁ କିଏ ମନା କରିଥିଲା। ଏପଟେ ଅନାବାଦୀ କରି ପକେଇ ରଖିବେ ସେପଟେ ସଂଘ ନାଁ ରେ ପଟ୍ଟା ପାଉତି କରିବେ। ଯଦି ସଂଘ ସେ ସ୍ଥାନରେ କିଛି କଲ୍ୟାଣ ମୁଳକ ପ୍ରକଳ୍ପ କରିବା ପାଇଁ ଜାଗା ନେଇଥାନ୍ତ। ତେବେ ଅନ୍ତତଃପକ୍ଷେ ଏତେ ତିବ୍ର ସମାଲୋଚନା ହୋଇ ନଥାନ୍ତା । ଗଙ୍ଗନଗର ଗାର୍ଲ୍ସ ସ୍କୁଲ ପାଖରେ ଥିବା ମୋଟ୍ ୭.୬୭୫ ଏକର ଜମି ଦୁଇଟି ପ୍ଲଟ୍ ଆକାରରେ ରହିଛି। ଓଡ଼ିଶା ସରକାର ଆଇ ଏ ଏସ ଆସୋସିଏସନକୁ ଦେଇଥିବା ଏହି ୨.୪୫୮ ଏକର ଜମି ବ୍ୟବହାର ହେଉ ନଥିବା ଦର୍ଶାଇ ଏହାକୁ ଟ୍ରାନଜିଟ୍ ହୋମ୍ ଲାଗି ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ସବୁଠାରୁ ବଡ କଥା ହେଉଛି ଏହି ଜମି ଘରବାରି ବର୍ଗରେ ଆସୁଛି। ପୂର୍ବରୁ ରାଜ୍ୟ ସରକାରଙ୍କର ଗେଷ୍ଟ୍ ହାଉସ୍, ସର୍କିଟ୍ ହାଉସ୍ ଏବଂ ବିଭିନ୍ନ ଶୀତତାପ ନିୟନ୍ତ୍ରିତ ବଙ୍ଗଳା ରହିଥିବା ବେଳେ ମହମାରୀ ଭଳି ସଙ୍କଟ ସମୟରେ ପୁଣି ଏକ ସରକାରୀ ହାଇସ୍କୁଲର ଜମି ଟ୍ରାନଜିଟ୍ ହାଉସ୍ ଲାଗି ପ୍ରଦାନ କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଟ୍ରାନଜିଟ୍ ହାଉସ୍ ନିର୍ମାଣ କରିବାର ଅର୍ଥ ହେଉଛି ବାବୁ ମାନଙ୍କ ପାଇଁ ଏହା କ୍ଲବ୍ ହାଉସ୍ ଭଳି। ରାଜ୍ୟ ଯେତେବେଳ ମହାମାରୀ ସହ ଲଢେଇ କରୁଛି ପ୍ରତିଦିନ ଲୋକେ ପ୍ରାଣ ହରାଉଛନ୍ତି। ଲକଡାଉନ୍ ଓ ସଟଡାଉନ୍ ଭଳି କଟକଣା ଯୋଗୁଁ ଅନେକ ଲୋକ ରୋଜଗାର ହରାଇଛନ୍ତି ସେଭଳି ସମୟରେ ଆଇଏଏସ ବାବୁ ମାନଙ୍କ ପାଇଁ ଟ୍ରାନଜଟ୍ ହାଉସ ନିର୍ମାଣ ପାଇଁ ସରକାରୀ ଜମି ପ୍ରଦାନ କରିବା କେତେ ସଠିକ୍ ତାହା ବିଚାର ଯୋଗ୍ୟ। ତେବେ ଏହି ଘଟଣାରେ ବୁଦ୍ଧିଜୀବୀ ମାନଙ୍କର ମତ ହେଉଛି ରାଜ୍ୟ ସରକାର ବାବୁ ମାନଙ୍କୁ ଜମି ଦେବା ପରିବର୍ତ୍ତେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଲାଇବ୍ରେରୀ କିମ୍ବା ସାଇନ୍ସ ଲାବୋରେଟୋରୀ ଖୋଲିପାରିଥାନ୍ତେ। ସେହି ଜାଗାରେ ଗୋଟିଏ ଷ୍ଟେଟ ଅଫ ଦ ଆର୍ଟ ର ଗୋଟେ ଇଣ୍ଡୋର୍ ଷ୍ଟାଡିୟମ୍ ଗାର୍ଲ୍ସ ଷ୍ଟୁଡେଣ୍ଟ୍ ଙ୍କ ପାଇଁ ମଧ୍ୟ କରି ପାରିଥାନ୍ତେ। ରାଜ୍ୟରେ ଗାର୍ଲ୍ସ ଷ୍ଟୁଡେଣ୍ଟ୍ ଙ୍କ ପାଇଁ ଗୋଟେ ସ୍ପୋର୍ଟସ ବା ସାଇନ୍ସ ର  ଇନକ୍ୟୁଵେସନ୍ ସେଣ୍ଟର୍ ମଧ୍ୟ କରିପାରିଥାନ୍ତେ ଯାହାକି ପୁରା ଦେଶରେ ପ୍ରଥମ ହେଇଥାନ୍ତା। କିନ୍ତୁ ସରକାରଙ୍କ ପାଇଁ ଚିନ୍ତା କରୁଥିବା ମୁଣ୍ଡିଆଳ ତ ହେଉଛନ୍ତି ଏହି ସଙ୍ଘ ର ବାବୁ ଭାଇମାନେ ଯେଉଁମାନଙ୍କ ପ୍ରଥମ ଚିନ୍ତା ନିଜ ବିରାଡରୀଙ୍କ ପାଇଁ ପ୍ରାଇମ ଲୋକେସନରେ ଟ୍ରାନଜିଟ୍ ହାଉସ୍ ଟେ ହେବା ଦରକାର।

Related Posts