
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗରେ ନାରଦ ମାମଲା ଦିନକୁ ଦିନ ନୂଆ ମୋଡ଼ ସୃଷ୍ଟି କରିବାରେ ଲାଗିଛି । ଏହାରି ଭିତରେ ନାରଦା ମାମଲାରେ ସଂପୃକ୍ତ ଥିବା ଚାରି ଜଣ ନେତାଙ୍କୁ ଗୃହ ଗିରଫ କରାଯାଉ ବୋଲି ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । କିନ୍ତୁ ସୁପ୍ରିମକୋର୍ଟର ଆଦେଶ ପରେ ସିବିଆଇ ତାର ଆବେଦନକୁ ପ୍ରତ୍ୟାହାର କରିନେଇଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ଆଇନ ମନ୍ତ୍ରୀ କଲିକତା ଠାରେ ଥିବା ସିବିଆଇ କାର୍ଯ୍ୟାଳୟକୁ ଅବରୋଧ କରିବା ହେଉ କିମ୍ବା ସମର୍ଥକଙ୍କ ସହ ଟ୍ରାଏଲ କୋର୍ଟରେ ଭିଡ଼ ଜମାଇବା ଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଇନକୁ ଭଙ୍ଗ କରିଥିବା ବ୍ୟକ୍ତି କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ମୁକ୍ତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଅନ୍ୟପଟେ ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ପ୍ରତିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏନେଇ ବେଞ୍ଚ ମଧ୍ୟ ଚୁପ୍ ନ ରହି ତାର ପ୍ରତିକ୍ରିୟା ଦେଇଛି । ତେବେ ଆମେ ସିବିଆଇ କିମ୍ବା ସରକାରଙ୍କୁ ପରାମର୍ଶ ଦେବା ପାଇଁ ଏଠାରେ ନାହୁଁ ବୋଲି ବେଞ୍ଚ କହିଛନ୍ତି । ସେହିପରି ଜଷ୍ଟିସ ଭିନେଟ ସରନ ଏବଂ ବି ଆର ଗାଭାଇଙ୍କ ବେଞ୍ଚ ମଧ୍ୟ ନାରଦା ମାମଲାରେ ସଂପୃକ୍ତ ଥିବା ଟିଏମସି ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ ନକରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।