ବାସୁଦେବପୁର ବିଧାୟକଙ୍କୁ ଘେରିଲେ ଗ୍ରାମବାସୀ; ବିପଦ ବେଳେ କେଉଁଠି ଥିଲେ ବୋଲି କଲେ ପ୍ରଶ୍ନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ପଞ୍ଚୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରି ସାରିଛନ୍ତି । ସେପଟେ ପ୍ରାର୍ଥୀମାନେ ଭୋଟ ପାଇଁ ସାଧାରଣ ଲୋକଙ୍କ ପାଖକୁ ବିଭିନ୍ନ ନୂଆ ଯୋଜନା ନେଇ ଯାଉଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗ୍ରାମବାସୀ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ନାନା ପ୍ରଶ୍ନ କରିଥିଲେ। ବାତ୍ୟା ଓ କରୋନା ସମୟରେ ବିଧାୟକ ଥରୁଟିଏ ବି ଗାଁକୁ ଆସିନଥିଲେ ବି ଏବେ କାହିଁକି ଭୋଟ ମାଗିବାକୁ ଆସିଛନ୍ତି ବୋଲି ପଚାରିଥିଲେ ।

ବିପଦ ସମୟରେ ବିଧାୟକ କେଉଁଠି ଥିଲେ ବୋଲି ପଚାରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ବିଧାୟକ ଗାଁର ଜଣଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ । ଦୀର୍ଘ ସମୟ ଧରି ବିଧାୟକ ଘର ଭିତରେ ଥିବାବେଳେ ଗ୍ରାମବାସୀ ବାହାରେ ହୋହଲ୍ଲା କରିଥିଲେ । ଶେଷରେ ନିକଟରେ ଥିବା ସାମୁଦ୍ରିକ ଥାନା ପୁଲିସ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା । ତେବେ ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts