ଏମାର ମଠ ଖନନ; ଗୁପ୍ତଧନ ଖୋଜୁଖୋଜୁ ମିଳିଲା ଲୁହାଖଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଚର୍ଚ୍ଚାରେ ଏମାର ମଠ । ପୁଣିଥରେ ଏମାର ମଠରୁ ରୂପା ଇଟା ଖୋଜା ଆରମ୍ଭ ହୋଇଛି । ପ୍ରାୟ ପାଞ୍ଚ ମଙ୍କସର ବ୍ୟବଧାନ ପରେ ପୁନର୍ବାର ପ୍ରଶାସନ ପକ୍ଷରୁ ଏମାର ମଠକୁ ଯାଞ୍ଚ କରାଯାଇଥିଲା । ପ୍ରଥମଥର ରୂପା ଇଟା ମିଳିଥିବାରୁ ଦ୍ୱିତୀୟଥର କୌଣସି ଗୁପ୍ତଧନ ମିଳିବା ଆଶାରେ କେତେକ ସ୍ଥାନ ଖନନ କରାଯାଇଥିଲା । ହେଲେ କ୍ଷଦ୍ର ଲୁହା ଖଣ୍ଡ ବ୍ୟତୀତ ଅନ୍ୟ କୌଣସି ଦ୍ରବ୍ୟ ମିଳିନଥିଲା । ଫଳରେ ରୁପା ଇଟା ଆଶାରେ ଯାଇଥିବା ପ୍ରଶାସନ ଆଜି ଖାଲି ହାତରେ ମଠରୁ ଫେରିଛି। ଦେବୋତ୍ତର ବିଭାଗ ୬ ମାସ ତଳେ ଏମାର ମଠର ପରିଚାଳନା ଦାୟିତ୍ବ ମଠ ମହନ୍ତଙ୍କ ହାତରୁ କାଢ଼ି ନେଇ ନବଗଠିତ ଟ୍ରଷ୍ଟ ବୋର୍ଡ ଉପରେ ନ୍ୟସ୍ତ କରିଥିଲା। ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଥିବାବେଳେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାସଙ୍କ ସହ ଅନ୍ୟ ଗବେଷକ, ବୁଦ୍ଧିଜୀବୀମାନେ ଏହାର ସଦସ୍ୟ ରହିଛନ୍ତି। ଟ୍ରଷ୍ଟ ବୋର୍ଡ ୫ ତଳେ ମଠ ପରିସର ମାଟି ତଳେ ଆହୁରି ଅନେକ ରୁପା ଇଟା ସହ ଅନ୍ୟାନ୍ୟ ଗୁପ୍ତଧନ ପୋତା ହୋଇ ରହିଥିବା ସନ୍ଦେହ ପ୍ରକଟ କରି ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲା। ପରେ ଦେବୋତ୍ତର ବିଭାଗ ଜିଲ୍ଲା ପ୍ରଶାସନକୁ ମେଟାଲ୍ ଡିଟେକ୍ଟର ଜରିଆରେ ମଠ ପରିସର ଯାଞ୍ଚ କରିବାକୁ ଚିଠି ଲେଖିଥିଲା।

ଜିଲ୍ଲା ପ୍ରଶାସନର ସହମତିକ୍ରମେ ୨୦୨୧ ସେପ୍ଟେମ୍ବର ୧୬ରେ ପୁଲିସ ପ୍ରଶାସନ ମେଟାଲ୍ ଡିଟେକ୍ଟର ସହଯୋଗରେ ମଠ ପରିସର ଯାଞ୍ଚ କରି ମଠର ପ୍ରବେଶ ପଥ, ଝୁଲଣ ମଣ୍ଡପ ସମ୍ମୁଖ ଅଗଣା ସହ ତିନିରୁ ଅଧିକ ସନ୍ଦିଗ୍ଧ ସ୍ଥାନ ଚିହ୍ନଟ କରିଥିଲା। ୫ ମାସ ତଳୁ ଏହି ସ୍ଥାନକୁ ଦାଗ ଦେଇ ରଖାଯାଇଥିଲା। ଆଜି ହଠାତ୍ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ, ପୁଲିସ ପ୍ରଶାସନର ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ ପରେ ସନ୍ଦିଗ୍ଧ ସ୍ଥାନକୁ ଖନନ କରିଥିଲା। ପ୍ରଥମେ ମଠର ପ୍ରବେଶ ପଥକୁ ଖନନ କରାଯାଇଥିଲା। କିନ୍ତୁ ଏଠାରୁ ରୁପା ଇଟା ବଦଳରେ ବହୁ ପୁରୁଣା ଏକ ଲୁହା କଣ୍ଟା ମିଳିଥିଲା। ପରେ ଝୁଲଣମଣ୍ଡପ ସମ୍ମୁଖ ପାଟଅଗଣା ଖନନ କରାଯାଇଥିଲା। ଏଠାରେ ଦୁଇଟି ସ୍ଥାନ ଖନନ କରାଯାଇଥିଲା। ପ୍ରଥମ ଖନନ ସ୍ଥଳରୁ ବହୁ ପୁରୁଣା କଳଙ୍କି ଲଗା ଏକ ଲୁହାଖଣ୍ଡ ମିଳିଥିଲା। ଅନ୍ୟ ଜାଗାରୁ ଏକ କଳଙ୍କି ଲଗା କଣ୍ଟା ମିଳିଥିଲା। ତିନି ସ୍ଥାନରୁ କିଛି ନ ମିଳିବା ପରେ ପ୍ରଶାସନ ଖନନ କାର‌୍ୟ୍ୟ ବନ୍ଦ ରଖି ଫେରି ଆସିଥିଲା। ତେବେ ଏହି ଖନନ ପାଇଁ ମଠର ନୂଆ ଟ୍ରଷ୍ଟ ବୋର୍ଡକୁ ଲୋକେ ସମାଲୋଚନା କରିଛନ୍ତି। ମଠର ସୁରକ୍ଷା ବଦଳରେ ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ନୂଆ ଟ୍ରଷ୍ଟ ବୋର୍ଡ ହଜାର ବର୍ଷର ଏହି ପୁରୁଣା ମଠର ଐତିହ୍ୟକୁ ଉଜାଡ଼ି ଦେବାକୁ ବସିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Related Posts