ଭାରତର ଖରାପ ପ୍ରଦର୍ଶନକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅସନ୍ତୋଷ ପ୍ରକାଶ

ହାଇଦ୍ରାବାଦ: ବିଶ୍ବକପ ପୂର୍ବରୁ ଭାରତୀୟ ଦଳର ପ୍ରଦର୍ଶନ ବେଶ୍ ଖରାପ ରହିଚି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ କରିଛନ୍ତି । ମ୍ୟାନ ଇନ ବ୍ଲୁର ଯେଉଁ ଭଳି ଭାବରେ ପ୍ରଦର୍ଶନ ଜାରି ରହିଛି ସେଥିରେ ବିଶ୍ବକପ ହାତେଇବା ସମ୍ଭବ କି ତାକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜାରି ରହିଛି । ଭାରତୀୟ ଦଳର ଏଭଳି ପ୍ରଦର୍ଶନ ବାବଦରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ସମାଲୋଚନା କରିଛନ୍ତି ।

ରୋହିତ ବାହିନୀ ଏସିଆ କପରେ ଲିଗ ମ୍ୟାଚରେ ଦମଦାର ପ୍ରଦର୍ଶନ ସହିତ ସୁପର ୪ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ହାରି ଫାଇନାଲରେ ଜାଗା ବନାଇବା ପାଇଁ ବିଫଳ ରହିଥିଲା । ସେହିପରି ମଙ୍ଗଳବାର ମୋହଲିରେ ଅଷ୍ଟ୍ରେଲିଆ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଭାରତୀୟ ଦଳ ପରାଜୟ ସାମ୍ନା କରିଥିଲା । ତେବେ ଏଭଳି ଜିତିବା ମ୍ୟାଚରେ ବାଜି ପଲଟି ଯିବାର ମୁଖ୍ୟ କାରଣ ସାଜିଥିଲା ଡେଥ ଓଭର ବୋଲିଂରେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ।
ଏହି ଡେଥ ଓଭର ବୋଲିଂ ଭାରତୀୟ କ୍ରିକେଟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଡେଥ ଓଭରରେ ଅଧିକ ନିରାଶ କରିଛନ୍ତି ସିନିୟର ପେସର ଭୁବନେଶ୍ବର କୁମାର । ଦଳର ବ୍ୟାଟିଂ ବିଭାଗ ସୁଦୃଢ ଥିଲେ ମଧ୍ୟ ବୋଲିଂ ବିଭାଗର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଭାରତୀୟ ବୋଲରଙ୍କ ଦୁର୍ବଳତାକୁ ସୂଚୀତ କରୁଛି । ଏସିଆ କପରେ ମଧ୍ୟ ଭାରତ ଜିତିବା ମ୍ୟାଚ ଗୁଡିକ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ବିପକ୍ଷ ଦଳ ହାତକୁ ମ୍ୟାଚ ଟେକି ଦେଇଥିଲା । ବ୍ୟାଟିଂ ବିଭାଗ ଫର୍ମରେ ରହିଲେ ମଧ୍ୟ ବୋଲିଂ ବିଭାଗ ଫର୍ମରେ ନ ରହିଲେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ବକପରେ ଭାରତ ପାଇଁ ମହଙ୍ଗା ପରିସ୍ଥିତି ସୃଷ୍ଟି କରିପାରେ । ତେବେ ଭାରତର ଖରାପ ପ୍ରଦର୍ଶନକୁ ନେଇ ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି “ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଦଳର ପ୍ରଦର୍ଶନକୁ ନେଇ ଅଧିକ ଚିନ୍ତା କରିବା ଦରକାର । ଦଳର ତୃଟିକୁ ବାହାର କରି ସୁଧାରିବା ଦରକାର । ଦଳର ଗୋଟିଏ ଦୁଇଟି ମ୍ୟାଚ ହାରିବା ନେଇ ମୁଁ ବିବ୍ରତ ନୁହେଁ । ହେଲେ ଆମେ ବଡ ବଡ ଟୁର୍ଣ୍ଣାମେଣ୍ଟରେ ବିଫଳ ରହିବା ଏକ ଚିନ୍ତାର ବିଷୟ ଅଟେ ।”ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ମ୍ୟାଚ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି୨୦ ମ୍ୟାଚ ଖେଳିବ ଭାରତ । କ୍ରିକେଟ ମହଲରେ ଆଶା କରାଯାଉଛି କି ଟି୨୦ ବିଶ୍ବକପ ପୂର୍ବରୁ ଭାରତ ତାର ସମସ୍ତ ତୃଟିକୁ ସୁଧାରିବା ସହିତ ନିଜକୁ ସର୍ବଶ୍ରେଷ୍ଠ ଭାବରେ ପ୍ରସ୍ତୁତ କରି ଟି୨୦ ବିଶ୍ବକପ ମଇଦାନରେ ଓହ୍ଲାଇବ ।

Related Posts