ସତର୍କ ରୁହନ୍ତୁ, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ, ରାଜ୍ୟରେ କରୋନା ସଂକ୍ରମଣ କେବେ ବି ବଢ଼ିପାରେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।  ସେ କହିଛନ୍ତି, ଯଦିଓ ପଜିଟିଭିଟି ରେଟ୍ କମ୍‌ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ  ଟଳି ନାହିଁ। କେଉଁ ସମୟରେ ସଂକ୍ରମଣ ବଢ଼ିପାରେ। ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢିପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ୱ ନିଜେ ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥିଲେ ଯେ , ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମଧ୍ୟରେ କେବେବି ସଂକ୍ରମଣ ବଢ଼ିପାରେ। ସଂକ୍ରମଣକୁ ରୋକିବା ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ଜାରି ରହିବା ଉଚିତ୍‌ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।’‘ସମସ୍ତେ ନିୟମକୁ ମାନନ୍ତୁ। କିଭଳି ସଂକ୍ରମିତ ନହେବେ ସେନେଇ ନିଜ ଦାୟିତ୍ୱ ନିଜେ ନିଅନ୍ତୁ। ଭାରତରେ ମହାମାରୀ ଏଣ୍ଡେମିକ୍ ଆଡ଼କୁ ଯାଉଥିବା ସେ କହିଛନ୍ତି । ଯଦି ଆମେ କଣ୍ଟ୍ରୋଲ ନ କରିବା ତା’ହେଲେ ଏଣ୍ଡେମିକ୍ ପୁଣି ପାଣ୍ଡେମିକ୍‌ ହୋଇଯାଇପାରେ, ତେଣୁ ସତର୍କ ରହିବା ଉଚିତ୍‌ ବୋଲି ସେ ଚେତାବନୀ ଦେଇଛନ୍ତି । 

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୩୬ ଚିହ୍ନଟ ହୋଇଥିବା ଲୋକାଲ କେସ୍ ୨୪୪ ରହିଛି। 

Related Posts