ଫୋନ ଆସିବ ପ୍ରସ୍ତୁତ ରୁହ

ଗାନ୍ଧୀ ଜୟନ୍ତୀରୁ ସ୍ୱାସ୍ଥ୍ୟ ବିଭାଗରେ ଲାଗୁ ହେବ ‘ମୋ ସରକାର’ ଯୋଜନା । ଲୋକେ ଡାକ୍ତରଖାନାରେ ଠିକ୍‌ ସେବା ପାଉଛନ୍ତି କି ନାହିଁ ଜାଣିବାକୁ ଲୋକଙ୍କୁ ଫୋନ କରି ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଡାକ୍ତରଖାନାଗୁଡ଼ିକ କେତେ ପରିମାଣରେ ପ୍ରସ୍ତୁତ ତାହାର ସ୍ଥିତି ଅନୁଧ୍ୟାନ କରି ସେପ୍ଟେମ୍ବର 30 ସୁଦ୍ଧା ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଯୋଜନା କାର୍ଯ୍ୟକାରୀ ଲାଗି ଗଠିତ ନୋଡାଲ ଅଫିସର ଓ ମନିଟରିଂ ଅଧିକାରୀମାନେ ଡାକ୍ତରଖାନା ପରିଦର୍ଶନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ କମିସନର ପ୍ରମୋଦ ମେହେର୍ଦ୍ଦା ।

ଡାକ୍ତରଖାନାରେ ରୋଗୀମାନେ ସମସ୍ତ ଔଷଧ ଓ ଆନୁଷଙ୍ଗିକ ଚିକିତ୍ସା ସାମଗ୍ରୀ ସମ୍ପୂର୍ଣ୍ଣ ମାଗଣାରେ ପାଉଛନ୍ତି କି ନାହିଁ ତାହାର ଯାଞ୍ଚ କର । ରୋଗୀଙ୍କୁ ବିନା ମୂଲ୍ୟରେ ସମସ୍ତ ପରୀକ୍ଷା ନିରୀକ୍ଷା ଓ ଆବଶ୍ୟକସ୍ଥଳେ ରକ୍ତ ଯୋଗାଇବାକୁ ସରକାର କହିଥିବାବେଳେ ତାହା ମିଳୁଛି ନାହିଁ ତଦାରଖ କରି ଜଣାଅ ।

ସେହିଭଳି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି । ଡାକ୍ତରଖାନାର ପ୍ରସୂତୀ ଗୃହ, ଅପରେସନ୍‍ ଥିଏଟର, ୱାର୍ଡ, ଓପିଡି ଅଞ୍ଚଳ, ଟଏଲେଟ ଓ ଚିକିତ୍ସାଳୟ ପରିସରକୁ ପରିଷ୍କାର ରଖିବା ପାଇଁ କୁହାଯାଇଛି । ରୋଗୀମାନଙ୍କୁ ଯେଭଳି ଭଲ ବ୍ୟବହାର ଦେଖାଯିବ ସେଥିପାଇଁ ଡାକ୍ତର, ନର୍ସ ଓ ଡାକ୍ତରଖାନାରେ ସେବା ଯୋଗାଉଥିବା ଅନ୍ୟାନ୍ୟ କର୍ମଚାରୀଙ୍କୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଦେଖିବା ଲାଗି କୁହାଯାଇଛି ।

ଡାକ୍ତରଖାନାରେ ରୋଗୀମାନଙ୍କ ଲାଗି ଦିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧର ଅନୁଧ୍ୟାନ ଲାଗି ନୋଡାଲ ଅଫିସରମାନଙ୍କୁ କୁହାଯାଇଛି । ଏଥିମଧ୍ୟରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କୁ ପାନୀୟ ଜଳ ଯୋଗାଣ, ପ୍ରତି ୱାର୍ଡରେ ଶୌଚାଳୟ, ଗୁଣାତ୍ମକ ଖାଦ୍ୟ ଯୋଗାଣ, ପ୍ରତିଦିନ ସଫା ବେଡ୍‍ସିଟ୍‍ ଯୋଗାଣ ଓ ଡାକ୍ତରଖାନାରୁ ବାହାରୁଥିବା ବାୟୋ ମେଡ଼ିକାଲ ବର୍ଜ୍ୟଗୁଡ଼ିକୁ ଠିକଣା ଭାବେ କିଭଳି ନଷ୍ଟ ହେଉଛି ତାହାର ତଦାରଖ ଲାଗି କୁହାଯାଇଛି ।

ଚିକିତ୍ସାଳୟ ପରିସରରେ ଆବଶ୍ୟକ ମୁତାବକ ସଡ଼କ ନିର୍ମାଣ ଏବଂ ଡାକ୍ତରଖାନା ପରିସରରୁ ବାହାରୁଥିବା ସମସ୍ତ ପ୍ରକାରର ବର୍ଜ୍ୟବସ୍ତୁକୁ ଠିକଣା ଭାବେ ବିଘଟନ କରିବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହିତ ଡାକ୍ତରଖାନା କୋଠାରେ ଯେଭଳି ଅଗ୍ନି ନିରୋଧ ଯନ୍ତ୍ରପାତି ସଠିକ୍‍ ଭାବେ କାର୍ଯ୍ୟ କରିବ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ଏହାର କିଭଳି କାର୍ଯ୍ୟକାରୀ ହେଉଛି ଅଧିକାରୀମାନେ ତାହା ଯାଞ୍ଚକରି ଜଣାଇବେ ।

। ତେଣୁ ଏହା ପୂର୍ବରୁ ଡାକ୍ତରଖାନାରେ ଯେଭଳି ସମସ୍ତ ସେବା ଓ ସୁବିଧା ଠିକଣା ଭାବେ ଉପଲବ୍ଧ ହୁଏ ଏବଂ ରୋଗୀ ଓ ସେମାନଙ୍କ ସହାୟକମାନେ ଏଠାରେ ସମସ୍ତ ସୁବିଧା ପାଇବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଛି ।

Related Posts