ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ଯୁବକଙ୍କୁ ମାଡ ମାରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୁଲିସ । ତେବେ ପୂର୍ବ ଶତ୍ରୁତାକୁ ନେଇ ଗତ ୧୮ ତାରିଖ ରାତି ୯ଟାରେ ଶହଶହ ଲୋକଙ୍କ ଉପସ୍ଥିତିରେ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ କିଛି ଦୁର୍ବୃତ୍ତ। ଏହି ମାମଲାରେ ମୁକେଶ ଥିଲା ମୁଖ୍ୟ ଅଭିଯୁକ୍ତ। ଏହି ଘଟଣାରେ ପୁଲିସ ଆଜି ଅନ୍ୟ ୨ ଅଭିଯୁକ୍ତ ଶ୍ରୀରାମନଗର ଅଞ୍ଚଳର ଲିଙ୍ଗରାଜ ସାମଲ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳର ରାଜୁ ମାଲହୋତ୍ରାକୁ ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶକୁ ଗୋଳନ୍ଥରା ଥାନା ଅଞ୍ଚଳରେ ଏନକାଉଣ୍ଟର କରାଯାଇଥିବା ବ୍ରହ୍ମପୁର ଏସପି ଶରଭଣା ବିବେକ ଏମ୍. ପ୍ରକାଶ କରିଛନ୍ତି।
ପୁଲିସ ଗୁଳିରେ ଆହତ ମୁକେଶକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ନିଜ ବାନ୍ଧବୀଙ୍କ ସମ୍ମୁଖରେ ଉମେଶଙ୍କୁ ଅପରାଧୀମାନେ ଯେଭଳି ନିର୍ମମ ଭାବେ ମାଡ଼ ମାରିଥିଲେ ତାହାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ।
