ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର । ଏହି ଘୃଣ୍ୟ କାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ତାକୁ ସହଯୋଗ କରିଥିବା ଜଣେ ଯୁବତୀ ଯୁବକଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ନାବାଳିକା ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ। ନାବାଳିକା ଜଣକୁ ସେଠାରେ ଏକାକୀ ଦେଖି ବୁରୋମାଲ ଗଉନ୍ତିଆପଡ଼ା ଅଞ୍ଚଳର ରାଜା ବେସନ (୨୪) ନାମକ ଜଣେ ଯୁବକ ତାଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ ।
ଏହି ଜଘନ୍ୟ ଅପରାଧରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ (୨୦) ଏବଂ ତୃପ୍ତି ନାଏକ (୧୯) ନାମକ ଜଣେ ଯୁବତୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ଏୟାରପୋର୍ଟ ଥାନା ଆଇଆଇସି ପ୍ରଶାନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏ ନେଇ ମାମଲା ନମ୍ବର ୧୦୨/୨୦୨୬ ରେ ପୋକ୍ସୋ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ କଠୋର ଧାରାରେ ମାମଲା ରୁଜୁ କରି ଚଢ଼ାଉ ଜାରି ରଖିଥିଲା। ପୋଲିସ ନିଜ ତଦନ୍ତକୁ ଜୋରଦାର କରି ବୁଧୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଅପରାଧରେ ସହଯୋଗ କରିଥିବା ସହଯୋଗୀ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ବୁରୋମାଲ ଅଞ୍ଚଳରୁ ଗିରଫ କରିଥିଲା।
ଏହାପରେ ସେମାନଙ୍କ ସୂଚନା ଆଧାରରେ ଫେରାର ହେବାକୁ ଚେଷ୍ଟା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜା ବେସନକୁ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ପୋଲିସ କାବୁ କରିବାରେ ସଫଳ ହୋଇଥିଲା।ଜିଲା ମୁଖ୍ୟ ଚିକିତ୍ସାଳୟ ପରି ଏକ ଜନଗହଳିପୂର୍ଣ୍ଣ ଏବଂ ସୁରକ୍ଷିତ ସ୍ଥାନରେ ଜଣେ ନାବାଳିକାଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ ଘଟିବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉଦ୍ବେଗ ସୃଷ୍ଟି କରିଛି। ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।
