ଖାଦ୍ୟ ପାଇଁ ଜୀବନକୁ ବାଜି

ସତ୍ୟପାଠ ବ୍ୟୁରୋ : ବାରମ୍ବାର ଆନ୍ଦୋଳନ ଏବଂ ସାଧାରଣ ନିର୍ବାଚନ ସମୟରେ ଭୋଟ ବର୍ଜନ କରି ପ୍ରତିବାଦ ଜଣାଇଥିଲେ ମଧ୍ୟ ହୋଇପାରୁନି ଦାବି ପୁରଣ । ବୃତଙ୍ଗ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୨ଟି ଜିଲ୍ଲାର ଆଦିବାସୀ ବହୁଳ ତିନୋଟି ପଂଚାୟତର ହଜାର ହଜାର ଜନସାଧାରଣ ଦୀର୍ଘ ବର୍ଷ ଧରି ଦାବିକରି ଆସୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ମଧ୍ୟରେ ସୀମିତ ରହିଛି ସେତୁ ନିର୍ମାଣ କାର୍ଯ୍ୟ । ବର୍ଷ ପରେ ବର୍ଷ ବିତି ଚାଲିଥିଲା ବେଳେ କୌଣସି ଉପାୟ ନପାଇ ବର୍ଷାଦିନ ଆସିଲେ ଖରସ୍ରୋତା ପାଣିରେ ଜୀବନକୁ ବାଜି ଲଗାଇ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଜନ ସାଧାରଣ ଯାତାୟତ କରିଥାନ୍ତି ।

ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସୀମାନ୍ତ କୁଜାମେଣ୍ଢି ପଂଚାୟତରେ ବହିଯାଇଛି ବୃତଙ୍ଗ ନଦୀ । ଏହି ନଦୀ ମଧ୍ୟ ଦେଇ ଦଶପଲ୍ଲା ବ୍ଲକର ଦୂଡ଼ା ଓ କୁଜାମେଣ୍ଢି ପଂଚାୟତ ସହ କନ୍ଧମାଳ ଜିଲ୍ଲା ଚକାପଦା ବ୍ଲକର ବଣି, ପ୍ରଧାନପଡ଼ା, ମଣ୍ଡୁଳା, ତଳମଣ୍ଡୁଳା, ଟିକି ତଇଳା, ତିଳାବାଡ଼ି, ବାକ୍ସି, ସାତସାହି ଗାଡ଼ିଆପଡ଼ା, ଓଡ଼ମ୍ବା, ପାଇକଚିରା, ପ୍ରଭୃତି ଗ୍ରାମର ଜନସାଧାରଣ ଏହି ବୃତଙ୍ଗ ନଦୀ ମଧ୍ୟ ଦେଇ ଯାତାୟତ କରିଥାନ୍ତି । ମୁଖ୍ୟତଃ ବର୍ଷାଦିନ ଆସିଲେ ଏସବୁ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ନ୍ତି । ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଯିବା ବନ୍ଦ ହୋଇ ପଡ଼ୁଥିବା ବେଳେ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ଅସମ୍ଭବ ହୋଇ ପଡ଼ିଥାଏ ।

ଏସବୁ ଅଂଚଳବାସୀଙ୍କ ବାରମ୍ବାର ଦାବିପରେ କେନ୍ଦ୍ର ସରକାରଙ୍କ ଆଇଏପି ଅର୍ଥରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହା ଉପରେ ଏକ ଛୋଟ ପୋଲ ନିର୍ମାଣ ହେବାର କିଛି ମାସ ପରେ ବୃତଙ୍ଗ ନଦୀର ବଢି ଆସିବା ଫଳରେ ଏହି ପୋଲକୁ ଧୋଇ ନେଇ ଯାଇଥିଲା । ପୁନଃ ସେତୁ ନିର୍ମାଣ ପାଇଁ ଅଂଚଳବାସୀ ବାରମ୍ବାର ଦାବି କରିବା ସହ ୨୦୧୬ ମସିହାରେ ପଂଚାୟତବାସୀ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ କମିଟିପଙ୍ଗାଠାରେ ଅବରୋଧ କରିଥିଲେ । ସେହି ସମୟରେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ତୁରନ୍ତ ସେତୁ ନିର୍ମାଣ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ।ଯାହାକୁ ନେଇ ଗତ ସାଧାରଣ ନିର୍ବାଚନ ସମୟରେ ସେତୁ ନିର୍ମାଣ ଦାବିରେ କୁଜାମେଣ୍ଢି ପଂଚାୟତର ଅନେକ ଗ୍ରାମବାସୀ ବାଧ୍ୟ ହୋଇ ଭୋଟ ବର୍ଜନ କରିଥିଲେ । ଅନ୍ୟ ପାଶ୍ୱର୍ରେ ଏହାକୁ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେତୁ ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଫାଇଲ୍ ପଡ଼ି ରହିଥିବା ଜଣାପଡ଼ିଛି । ତେବେ ବଡ଼ କଥା ହେଉଛି କରୋନା ମହାମାରୀ ସମୟରେ ଏସବୁ ଅଂଚଳବାସୀ କାମଧନ୍ଧା ନପାଇ ପଡ଼ି ରହିଥିବା ବେଳେ ସରକାରଙ୍କଠାରୁ ମିଳୁଥିବା ସାମଗ୍ରୀ ଗଣ୍ଡାକ ନେବା ପାଇଁ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି । କିଏ, ଛାତିଏ ତ ପୁଣି କିଏ ଅଣ୍ଟାଏ ପାଣିରେ ରାସନ ସାମଗ୍ରୀ ଧରି ଯାତାୟାତ କରିଥାନ୍ତି । ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଂଚଳବାସୀ ଅନୁରୋଧ କରିଛନ୍ତିା

Related Posts