
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଦଳିବେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ! ପିସିସି ସଭାପତି ବଦଳିବା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କିମିଟିର ସଭାପତି ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଶରତ ପଟ୍ଟନାୟକ ନୂତନ ଭାବେ ପିସିସି ସଭାପତି ହେବା ପରେ ଶରତ ତାଙ୍କର ନୂଆ ଟିମ୍ ଗଠନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏବେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଛନ୍ତି ସୁବ୍ରତ ଦାସ। ସୁବ୍ରତ ସଭାପତି ରହିବେ ନା ସୁବ୍ରତଙ୍କ ସ୍ଥାନରେ ଶରତ ଆଉ କାହାକୁ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜିଲ୍ଲାର ନୂଆ ସଭାପତି ନେଇ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରେ ଚର୍ଚ୍ଚାର ସବୁଠାରୁ ଆଗରେ ଅଛନ୍ତି କଂଗ୍ରେସ ନେତା ଶୁଭେନ୍ଦୁ ରାୟ ମହାପାତ୍ର, ଦେବରୂପ ମହାନ୍ତି, ମଧୁମିତା ସେଠୀ, ସତ୍ୟାନନ୍ଦ ରାଉତ। ଏହି ଯୁବନେତାଙ୍କ ନାମକୁ ନେଇ ଚର୍ଚ୍ଚା ଅଧିକ ହେଉଥିବା ବେଳେ ଜିଲ୍ଲାର ପୂର୍ବତନ କଂଗ୍ରେସ ସଭାପତି ଅଶୋକ ଦାସ, ନରେନ ପଲେଇ, କଂଗ୍ରେସ ନେତା ଦେବ ମହାନ୍ତି, ଦିଗମ୍ବର ଦାସ, ନଳିନୀକାନ୍ତ ମହାନ୍ତି, ମନୋଜ ବିଶ୍ବାଳଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ତେବେ କାହାକୁ ଜିଲ୍ଳା ସଭାପତି କରାଯିବ ସେ ନେଇ କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇ ପାରିନାହିଁ। ଗତ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ଜିଲ୍ଳାରେ ଶୋଚନୀୟ ଅବସ୍ଥାରେ ରହିଥିଲା। ପରବର୍ତ୍ତୀ ପର୍ୟ୍ୟାୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ କଂଗ୍ରେସ ସଂଗଠନ ଜିଲ୍ଳାରେ ଆହୁରି ଦୁର୍ବଳ ହୋଇ ପଡିଛି। ଦଳୀୟ ନେତୃତ୍ବକୁ ବିରୋଧ କରି ବହୁ ତୃଣମୂଳସ୍ତରର କଂଗ୍ରେସ ନେତା ବିଜେଡି ଓ ବିଜେପିରେ ସାମିଲ ହୋଇଛନ୍ତି। ଏହି ନେତାମାନେ ପୁଣି କଂଗ୍ରେସକୁ ଫେରିବାକୁ ଯୋଜନା କରୁଛନ୍ତି। କିନ୍ତୁ ନେତୃତ୍ବ ପରିବର୍ତ୍ତନ ନ ହେଲେ ଏମାନେ ଦଳକୁ ଫେରିବା ସମ୍ଭବ ନୁହେଁ ବୋଲି ଆଲୋଚନା ହେଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।