
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶନିବାର ଆସିଥିବା ଦିଲ୍ଲୀ ନିର୍ବାଚନ ଫଳରେ ଆପକୁ ଜବରଦସ୍ତ ଝଟକା ଲାଗିଛି | ଦଳ କ୍ଷମତାରୁ ଯାଇଛି ଆଉ ବିଜେପି ଦିଲ୍ଲୀରେ ସରକାରକୁ ଆସିଛି | ହେଲେ ନିର୍ବାଚନ ଫଳରେ ଏକ ରୋଚକ ସଂଯୋଗ ଦେଖିବାକୁ ମିଳିଛି | ଏଥର ନିର୍ବାଚନରେ ଆମ ଆଦମୀ ପାର୍ଟି ଯେଉଁ ୮ ବିଧାୟକଙ୍କ ଟିକେଟ କାଟିଥିଲା, ଏହି ୮ ଆସନରେ ଦଳ ହାରିଛି | ଆଉ ଏହି ୮ ବିଧାୟକ ଭୋଟିଂ ପୂର୍ବଦିନ ହିଁ ବିଜେପିରେ ମିଶିଥିଲେ | ଯାହା ଆମ ଆଦମୀ ପାର୍ଟିର ପରାଜୟର ଏକ ବଡ଼ କାରଣ ବୋଲି କୁହାଯାଉଛି |
ଏଥର ନିର୍ବାଚନରେ ପାଲମ ଆସନରୁ ବିଧାୟିକା ବନ୍ଦନା ଗୌର, ତ୍ରିଲୋକପୁରୀ ଆସନରୁ ରୋହିତ ମେହରୁଲିଆ, ମଦିପୁରରୁ ଗିରିଶ ସୌନି, କସ୍ତୁରବା ନଗରରୁ ମଦନଲାଲ, ଜନକପୁରୀରୁ ରାଜେଶ ଋଷି, ବୀଜବସନ ଆସନରୁ ବିଏସ ଜୁନ, ମେହରୁଲି ଆସନରୁ ନରେଶ ଯାଦବ, ଆଦର୍ଶ ନଗରରୁ ପରେଶ ଶର୍ମାଙ୍କ ଟିକେଟ କାଟିଥିଲେ ଆପ | ଆଉ ଏହି ୮ ବିଧାୟକ ୩୧ ଜାନୁୟାରୀରେ ବିଜେପିରେ ଯୋଗଦେଇଥିଲେ | ଏହି ୮ ଆସନରେ ଏଥର ଆମ ଆଦମୀ ପାର୍ଟି ହାରିଛି |
ଗତକାଲି ଆସିଥିବା ନିର୍ବାଚନ ଫଳରେ ବିଜେପି ୪୮ ଟି ଆସନ ଜିତିଥିବାବେଳେ ଆମ ଆଦମୀ ପାର୍ଟି ମାତ୍ର ୨୨ ଟି ଆସନରେ ସୀମିତ ହୋଇଯାଇଛି |