
ଭୁବନେଶ୍ବର: ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଘଟଣାକୁ ବିତିଛି ୩୬ ଘଣ୍ଟା । କିନ୍ତୁ ଏଯାଏ ମୃତ୍ୟୁ ଉପରୁ ରହସ୍ୟ ଉଠାଇପାରିନି ପୋଲିସ । କେଉଁ ପରିସ୍ଥିତିରେ ଦୀପାଳିଙ୍କ ମୃତ୍ୟୁ ହେଲା, ସେ ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫ୍ୟାନରେ ଝୁଲାଇ ଦେଇଥିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। ଏଭଳି ସ୍ଥିତିରେ ସ୍ପେସାଲ ସ୍କ୍ବାର୍ଡକୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଡିସିପି ଅନୁପ ସାହୁ । ଘଟଣା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ଫେରାର ଥିବାରୁ ପୋଲିସ ନଜର ବିକ୍ରମ କେଶରୀ ମିଶ୍ରଙ୍କ ଉପରେ ରହିଛି । ଦୀପାଳିଙ୍କ ମୃତ୍ୟୁ ସଂପର୍କରେ ସେ ତାଙ୍କ ସାନଭଉଣୀ ଶେଫାଳିଙ୍କୁ ଫୋନ କରି ଜଣାଇଥିଲେ ବି ଘଟଣାସ୍ଥଳରୁ କାହିଁକି ଫେରାର ହୋଇଗଲେ ସେ ନେଇ ଏବେ ଉଠିଛି ପ୍ରଶ୍ନ । ଘଟଣା ଦିନ ଦୀପାଳିଙ୍କ ସହିତ ଥିଲେ ବିକ୍ରମ । ତାଙ୍କ ସହିତ ବିକ୍ରମଙ୍କର ବିବାହ ମଧ୍ୟ ସ୍ଥିର ହୋଇଥିଲା । ତେଣୁ ତଦନ୍ତରେ ସେ ପୋଲିସକୁ ସହଯୋଗ କରିବା ପରିବର୍ତ୍ତେ ଫେରାର ହୋଇଯିବା ସନ୍ଦେହକୁ ଦ୍ବିଗୁଣିତ କରୁଛି ।
ଦୀପାଳିଙ୍କ ସହିତ ବିକ୍ରମ ଥିଲେ ମଧ୍ୟ ସେହି ରାତିରେ କ’ଣ ଘଟିଥିଲା ତାହା ଜଣାପଡି ନାହିଁ । ସେଦିନ ରାତିରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା କି ? ନା ଦୀପାଳିଙ୍କୁ ହତ୍ୟା କରି ଫ୍ୟାନରେ ଟାଙ୍ଗି ଦେଇଥିଲା ବିକ୍ରମ ? ଏଭଳି ଅନେକ ପ୍ରଶ୍ନ ବିଭିନ୍ନ ମହଲରେ ଉଙ୍କି ମାରୁଛି। ବିକ୍ରମ ରାତି ପ୍ରାୟ ୧୨ଟା ବେଳେ ଫୋନ କରି ଦୀପାଳିଙ୍କ ଭଉଣୀ ଶେଫାଳିଙ୍କୁ କହିଥିଲେ କି, ତୁମ ଭଉଣୀ କବାଟ ଖୋଲୁ ନାହାନ୍ତି, ତୁମେ ଆସ ।
ଶେଫାଳି ପହଞ୍ଚିବା ଯାଏ ବିକ୍ରମ ଉପସ୍ଥିତ ରହିଲେ ନି କାହିଁକି ?
ବିକ୍ରମ ସେତେବେଳେ ଦୀପାଳିଙ୍କ ଘରକୁ ଆସି ଥିଲେ ନା, ସଂଧ୍ୟାରେ ଆସିଥିଲେ ?
ଯଦି ସଂଧ୍ୟାରେ ଆସିଥିଲେ, ପୁଣି ଥରେ ରାତି ୧୨ଟାବେଳେ କାହିଁକି ଆସିଥିଲେ ?
ଘର ଭିତରୁ ପୋଲିସ ଜବତ କରିଥିବା ମଦ ବୋତଲ ଓ ପୋଡ଼ା ସିଗାରେଟ କିଏ ସେବନ କରିଥିଲେ ?
ତାଙ୍କୁ କେହି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉ ନାହିଁ ତ ?
ଏଭଳି ସ୍ଥିତିରେ ବିକ୍ରମଙ୍କୁ ପ୍ରତ୍ୟକ୍ଷଦର୍ଶୀ ଭାବେ ତଦନ୍ତ ପରିସରଭୁକ୍ତ କରି ମୃତ୍ୟୁର କାରଣ ଖୋଜିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ । ବିକ୍ରମ ଜଣେ ବ୍ୟବସାୟୀ ଏବଂ ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ଦୀପାଳିଙ୍କ ସହ ତାଙ୍କର ପରିଚୟ କିପରି ହୋଇଥିଲା । । ଘଟଣା ଘଟିବା ଦିନ ରାତିରେ ବିକ୍ରମଙ୍କ ସହିତ ଆଉ କେହି ଆସିଥିଲେ କି ତାହା ମଧ୍ୟ ଏବେ ଜଣାପଡ଼ିନାହିଁ। ଏଥିପାଇଁ ପୋଲିସ ଗତକାଲି ଜବତ କରିଥିବା ଦୁଇଟି ମୋବାଇଲ ଫୋନର କଲ୍ ଡିଟେଲ୍ସକୁ ଧରି ବିକ୍ରମକୁ ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଦୀପାଳିଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ସେମାନେ ବିକ୍ରମଙ୍କ ବିରୋଧରେ କୌଣସି ଅଭିଯୋଗ କରିନଥିବା ବେଳେ କାହିଁକି ବିକ୍ରମ ଫେରାର ହେଲେ ତାହା ପୋଲିସକୁ ଦ୍ବନ୍ଦ୍ବରେ ପକାଇଛି । ଏବଂ ତେଣୁ ବିକ୍ରମ ଧରା ପଡ଼ିବା ପରେ ଦୀପାଳି ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଧଉଳି ପୋଲିସ କହିଛି ।