ସରକାରୀ ଜମିରେ ରୂପେଶଙ୍କ ରଙ୍ଗଶାଳା

ଯାଜପୁର : VLW ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ବିବାଦ, ବିଦ୍ରୋହ ଲାଗି ରହିଥିବା ବେଳେ ଆଉ ଏକ ବଡ଼ କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି । ସରକାରୀ ଜମିରେ ନିର୍ମାଣ ହୋଇଛି ରୂପେଶ ଭଦ୍ରଙ୍କ ବେଆଇନ ଗେ‌ଷ୍ଟହାଉସ୍‌ (ରଙ୍ଗଶାଳା) । ଯେଉଁଠି ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ପାହାଡ଼ ଓ ଅନାବାଦୀ କିସମ ଜମିକୁ ଜବରଦଖଲ କରି ହରିଦାସପୁରରେ ବିଳାସମୟ ରଙ୍ଗଶାଳା ନିର୍ମାଣ ହୋଇଛି । ର୍ଧମଶାଳା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ରାଜସ୍ବ ବିଭାଗ କର୍ମଚାରୀ ତଦନ୍ତ କରି ବହୁ ଗୁମର ଖୋଲିଛନ୍ତି । ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ସରକାରଙ୍କ ଅନାବାଦୀ ଜମି ଜବରଦଖଲ କରି ବିଳାଶମୟ ଭେଷ୍ଟହାଉସ ନିର୍ମାଣ କରିଥିଲେ। ଯେଉଁଠାରେ ନେତା, ସରକାରୀ ଅଧିକାରୀ ଓ ବିଭିନ୍ନ ବଡ଼ ବଡ଼ କମ୍ପାନିର ଅଧିକାରୀମାନେ ରହି ବେଶ ମଜା ଉଠାଉଥିଲେ । ଅତ୍ୟାଧୁନିକ ଆସବାବପତ୍ରରେ ସୁସଜ୍ଜିତ ଏହି ରଙ୍ଗଶାଳାକୁ ସାରୋଇ ପାହାଡ଼ ଓ ଜଙ୍ଗଲକୁ କାଟି ନିର୍ମାଣ କରାଯାଇଥିବା କହିଛି ରାଜସ୍ବ ବିଭାଗ ।

ବାଲିଗିରି ମୌଜାର ଖାତା ନମ୍ବର ୧୦୯ ଓ ୧୧୦ର ପ୍ଲଟ୍ ନମ୍ବର ୨୯୦ ଓ ୨୯୧ର ୧୩ ଡିସିମିଲ ଓ ୪ଡିସିମିଲ ଜମିକୁ ରୂପେଶ କବ୍‌ଜା କରି ରଙ୍ଗଶାଳା ତିଆରି କରିଛନ୍ତି । ୧୩ ଡିସିମିଲ ଜମି ଅନାବାଦୀ ହୋଇଥିବା ବେଳେ ୪ ଡିସିମିଲ ପାହାଡ଼ ରହିଛି । ୨୦୧୭-୧୮ ମସିହାରେ ‌ରୂପେଶଙ୍କ ନାଁରେ ଏକ ଜବରଦଖଲ ମାମଲା ମଧ୍ୟ ହୋଇଛି । ସେଥିପାଇଁ ରୂପେଶ ଜୋରିମାନା ମଧ୍ୟ ଦେଇଥିବା ଜଣାପଡ଼ିଛି ।

ଅନ୍ୟପଟେ ‘ମୋ ସରକାର’ର 5-ଟି ହାୱାରେ ସାରା ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ଉପରେ ସରକାର କଡ଼ା ପଦକ୍ଷେପ ନିଆଯାଉଛି । ତୁରନ୍ତ ଜବରଦଖଲକୁ ଉଚ୍ଛେଦ କରାଯାଉଛି । ହେଲେ ଏତେ ଦିନ ଧରି ସରକାରୀ ଜମିକୁ ଜବରଦଖଲ କରି ବିବାଦୀୟ ଗେଷ୍ଟହାଉସ ନିର୍ମାଣ କରିଥିବା ରୂପେଶ ଭଦ୍ରଙ୍କୁ ପ୍ରଶାସନ ଜାଣିପାରିଲା ନାହିଁ କେମିତି ? ନାଁ ଗେଷ୍ଟହାଉସରେ ବିଳାସମୟ ଜୀବନ ବିତାଇବା ପାଇଁ ନେତ ଏବଂ ସରକାରୀ ଅଧିକାରୀ ଜାଣି ଜାଣି ରୂପେଶଙ୍କୁ ରଙ୍ଗଶାଳା ନିର୍ମାଣ କରିବାକୁ ସୁଯୋଗ ଦେଇଥିଲେ ।

ବିବାଦୀୟ ଗେଷ୍ଟହାଉସକୁ ସରକାର ଉଚ୍ଛେଦ କଲେ ନାହିଁ କାହିଁକି ?

5-ଟି ସଚିବ ଏକଥା ପୂର୍ବରୁ ଜାଣିଥିଲେ ନା ନାହିଁ ?

ରୂପେଶଙ୍କ ବେଆଇନ ରଙ୍ଗଶାଳାକୁ ଭାଙ୍ଗିବାକୁ 5-ଟି ସଚିବ ନିର୍ଦ୍ଦେଶ ଦେବେ କି ?

କେବେ ଭଙ୍ଗା ହେବ ରୂପେଶ ଭଦ୍ରଙ୍କ ବେଆଇନ ରଙ୍ଗଶାଳା ?

ଏହି ବିବାଦୀୟ ଅଟାଳିକାକୁ ପ୍ରଶାସନ ଉଚ୍ଛେଦ କରିବ ନା ଅଭିଯୁକ୍ତମାନଙ୍କୁ ଆଇନର ଗଳାବାଟରେ ଖସାଇ ଦେବାକୁ ଉଦ୍ୟମ କରିବ ତା’ ଉପରେ ଏବେ ଜିଲ୍ଲାବାସୀଙ୍କ ନଜର ।

Related Posts