ଓଏସଏମଇରେ ରାଗିଂ ବିରୋଧରେ ବଡ କାର୍ଯ୍ୟନୁଷ୍ଠାନ, ୮୨ ସିନିୟର୍ ଛାତ୍ରଙ୍କୁ ଜରିମାନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ସର୍ବ ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ (ଓଏସଏମଇ)ରେ କିଛି ସିନିୟର୍ ଛାତ୍ର ଜୁନିୟର ଛାତ୍ରମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଓଏସଏମଇ କର୍ତ୍ତୃପକ୍ଷ ଏହି ରାଗିଂ ମାମଲାରେ ୮୨ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରତି ଛାତ୍ରଙ୍କୁ ହଜାରେ ଟଙ୍କା ଲେଖାଏଁ ଜରିମାନା ଦେବାକୁ କଲେଜ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ କଲେଜର ବାଳକ ‌ହଷ୍ଟେଲରେ ରହୁଥିବା କିଛି ସିନିୟର ଛାତ୍ର କେତେକ ଜୁନିୟର ଛାତ୍ରଙ୍କୁ ଡାକି ସେମାନଙ୍କର ମନୋରଞ୍ଜନ କରିବାକୁ କହିଥିଲେ। ସେମାନଙ୍କୁ ନାଚିବାକୁ ଓ ଗୀତ ଗାଇବାକୁ ବାଧ୍ୟ କରିଥିଲେ। ଏ ସଂପର୍କରେ ଜୁନିୟର ଛାତ୍ରମାନେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଦ୍ୟାଳୟର ଶୃଙ୍ଖଳା କମିଟି ଦ୍ବାରା ଏହାର ତଦନ୍ତ କରାଯାଇଥିଲା। କମିଟିର ରିପୋର୍ଟ ଆଧାରରେ ତୃତୀୟ ବର୍ଷର ସମସ୍ତ ୮୨ଜଣ ଛାତ୍ରଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏତଦ୍‌ବ୍ୟତୀତ ହଷ୍ଟେଲରେ ରହୁଥିବା ତୃତୀୟ ବର୍ଷର ୮୨ଜଣ ଛାତ୍ର ୫ମ ସେମିଷ୍ଟାର ପାଇଁ ଲାଇବ୍ରେରୀରୁ କୌଣସି ପାଠ୍ୟପୁସ୍ତକ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଭବିଷ୍ୟତରେ ଏପରି କାର୍ଯ୍ୟ ନକରିବା ପାଇଁ ଅଣ୍ଡରଟେକିଂ ରଖାଯାଇଛି ।ଏହାର ପୁନରାବୃତ୍ତି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସଂପର୍କରେ ଥାନାକୁ ମଧ୍ୟ ଅବଗତ କରାଯାଇଛି ବୋଲି ଅଧ୍ୟକ୍ଷ ଜ୍ଞାନ ରଂଜନ ରାୟ କହିଛନ୍ତି।

Related Posts