ନୂଆଦିଲ୍ଲୀ: ପଦ୍ମ ଧରିଛନ୍ତି ଅବିଭାଜିତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଚେନ୍ନା ରେଡ୍ଡୀଙ୍କ ପୁଅ ତଥା ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଏମ.ଶଶିଧର ରେଡ୍ଡୀ । ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ, ସର୍ବାନନ୍ଦ ସୋନେୱାଲ, ତେଲଙ୍ଗାନା ବିଜେପି ଅଧ୍ୟକ୍ଷ ବି.ସଞ୍ଜୟ କୁମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡିକେ ଅରୁଣା ଏବଂ ରାଜ୍ୟସଭା ସଦସ୍ୟ କେ ଲକ୍ଷ୍ମଣଙ୍କ ସହ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ଚାରି ଥର ବିଧାୟକ ତଥା କଂଗ୍ରେସର ବିଭିନ୍ନ ସରକାରରେ ମନ୍ତ୍ରୀ ଥିବା ୭୩ ବର୍ଷୀୟ ରେଡ୍ଡୀ କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ । ସାଂସଦ ଲକ୍ଷ୍ମଣ ଶଶିଧର ରେଡ୍ଡୀଙ୍କୁ ବିଜେପିକୁ ସ୍ୱାଗତ କରି କହିଥିଲେ, ତାଙ୍କ ଯୋଗଦାନ ପରେ ତେଲେଙ୍ଗାନାରେ କଂଗ୍ରେସ ଶେଷ ହୋଇଛି ।

ଅନ୍ୟପଟେ ଏହି ଅବସରରେ ଶଶିଧର ରେଡ୍ଡୀ କହିଥିଲେ, ‘୨୦୧୪ରେ ଯେଉଁ ଲକ୍ଷ୍ୟ ଏବଂ ଆକାଂକ୍ଷା ନେଇ ତେଲଙ୍ଗାନା ଗଠନ କରାଯାଇଥିଲା, ସେହି ଦିଗରେ କିଛି ହୋଇ ନାହିଁ । ତେଲଙ୍ଗାନାରେ ଯାହା କିଛି ଚାଲିଛି, ତାକୁ ରୋକିବାରେ ପ୍ରମୁଖ ବିରୋଧୀ ଦଳ ନେତା କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଛି’। ଏହାସହ ସେ, ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧିନ ତେଲଙ୍ଗାନା ସରକାରକୁ ଦୁନିଆର ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି କହିଛନ୍ତି । ତେଲଙ୍ଗାନାରେ କେବଳ ବିଜେପି ହିଁ ଟିଆରଏସକୁ କ୍ଷମତାରୁ ହଟାଇବା ପାରିବ ବୋଲି ଶଶିଧର ରେଡ୍ଡୀ କହିଛନ୍ତି