ଦଳ ଯେତିକି ତୁମର, ସେତିକି ଆମର; ୟୁପି ପ୍ରଭାରୀ ପଦରୁ ପ୍ରିୟଙ୍କାଙ୍କର ଇସ୍ତଫା ତାହାଲେ କେବେ ? ସୋନିଆଙ୍କୁ ଚିଠି ଲେଖି ଏପରି କହିଲେ କଂଗ୍ରେସ ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା । ଏହି କ୍ରମରେ କଂଗ୍ରେସ ଦଳ ଉତ୍ତରପ୍ରଦେଶରେ ମଧ୍ୟ କିଛି ଚମକ୍ରାର କରିପାରିନଥିଲା । ଏହା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପାଞ୍ଚଟି ରାଜ୍ୟର ପିସିସି ସଭାପତିଙ୍କର ଇସ୍ତଫା ମାଗିଥିଲେ । ହେଲେ ବର୍ତ୍ତମାନ ଇସ୍ତଫାକୁ ନେଇ ଅନେକ କଂଗ୍ରେସ କର୍ମୀ ସୋନିଆଙ୍କୁ ଚିଠି ଲେଖିଥିବାର ଦେଖିବାକୁ ମିଳିଛି । ତେବେ ଏଥର କୌଣସି ପିସିସି ସଭାପତିଙ୍କର ନୁହଁ ବରଂ ତାଙ୍କ ଝିଅ ପି୍ରୟଙ୍କା ଗାନ୍ଧୀ ବାଦ୍ରାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ପଦକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଦଳର ନେତା । ଦଳର ପୂର୍ବତନ ପ୍ରବକ୍ତା ଜିଶାନ ହୈଦର ପାର୍ଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପ୍ରିୟଙ୍କା ଗାନ୍ଧୀଙ୍କର ଇସ୍ତାଫା ମାଗିଛନ୍ତି । ଜିଶାନ ହୈଦର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ହାରିବା ଦୋଷ କେବଳ ପ୍ରଦେଶ ଅଧ୍ୟକ୍ଷଙ୍କ ଉପରେ ଲଦି ଦେବା ସମ୍ପୂର୍ଣ୍ଣ ଭୁଲ୍ । କାରଣ ୟୁପି ପ୍ରଭାରୀ ତଥା ମହାସଚିବ ପ୍ରିୟଙ୍କାଙ୍କ ବିନା ଅନୁମତିରେ ଏଠି ଜଣେ ପିଅନକୁ ମଧ୍ୟ ରଖାଯାଏ ନାହିଁ । ଜିଶାନ ପୂର୍ବ ନିର୍ବାଚନରେ ପ୍ରଦେଶ ଅଧ୍ୟକ୍ଷଙ୍କ ସହିତ ପ୍ରଭାରୀଙ୍କ ଇସ୍ତଫା ମଧ୍ୟ ନିଆଯାଇଥିବା କହିଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ପଦରୁ ହଟାଇବାକୁ କହିଛନ୍ତି ।

ଯେତେବେଳେ ବି ବିଧାନସଭା ନିର୍ବାଚନ କଂଗ୍ରେସ ହାରିଛି ସେତେବେଳେ ଉଭୟ ପ୍ରଦେଶ ଅଧ୍ୟକ୍ଷଙ୍କ ସହିତ ପ୍ରଭାରୀଙ୍କର ମଧ୍ୟ ଇସ୍ତଫା ନିଆଯାଇଛି । ୨୦୧୨ ବିଧାନସଭା ନିର୍ବାଚନରେ ଦୀଗବିଜୟ ସିଂହଙ୍କ ସହିତ ରୀତା ବହୁଗୁଣା ଇସ୍ତଫା ଦେଇଥିଲେ । ସେତେବେଳେ ମଧ୍ୟ ମତ ପ୍ରତିଶତ ଏବଂ ବିଜୟୀ ଆସନ ସଂଖ୍ୟା ବଢ଼ିଥିଲା । ୨୦୧୭ରେ ହାରିବା ପରେ ରାଜ ବବ୍ବର ଏବଂ ଗୁଲାମ ନବୀ ଆଜାଦ ଇସ୍ତଫା ଦେଇଥିଲେ । ତେଣୁ ମୋ ମତରେ ପ୍ରାୟଙ୍କା ଗାନ୍ଧୀଙ୍କ ଇସ୍ତଫା ମଧ୍ୟ ଆପଣଙ୍କୁ ମାଗିବାକୁ ପଡ଼ିବ ବୋଲି ସେ କହିବା ସହ ଏହା ଜଣେ ଦଳର କାର୍ୟ୍ୟକର୍ତ୍ତାଙ୍କ ନିବେଦନ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts