ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ କଂଗ୍ରେସର ବଡ଼ କାର୍ୟ୍ୟାନୁଷ୍ଠାନ । ତେବେ ହରିୟାଣା କଂଗ୍ରେସ ପାର୍ଟି ବିଧାୟକ କୂଲଦୀପ ବିଶ୍ନୋଇଙ୍କୁ ଶନିବାର ଦଳରୁ ବାହାରକୁ ରାସ୍ତା ଦେଖାଇ ଦିଆଯାଇଛି। ସୂତ୍ରରୁ ମିଳୁଥିବା ସୂଚନାରୁ ବିଧାନସଭା ସଦସ୍ୟ ବିଶ୍ନୋଇଙ୍କୁ ପାର୍ଟିର ସବୁ ପଦରୁ ମୁକ୍ତ କରିଦିଆଯାଇଥିବା ବେଳେ ଦଳରୁ ନିଲମ୍ବନ କରିଦିଆଯାଇଛି। ବିଧାନସଭାରେ ତାଙ୍କ ସଦସ୍ୟତା ସମାପ୍ତ କରିବା ପାଇଁ ପାର୍ଟି ପକ୍ଷରୁ ବିଧାନସଭା ବାଚସ୍ପତିକୁ ନିବେଦନ କରାଯାଇଥିବା ଜଣାପଡିଛି। ବିଶ୍ନୋଇ କଂଗ୍ରେସ ୱାର୍କିଂ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିଲେ। ହରିୟାଣା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କ ପରାଜୟ ପରେ ବିଶ୍ନୋଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଯେଉଁଥିରେ କଂଗ୍ରେସକୁ ଛଳ କରି ଉଲ୍ଲେଖ କରିଥିଲେ।
ଏକ ଟ୍ୱିଟର ରି ଟ୍ୱିଟରେ ସେ ଏହା ଉଲ୍ଲେଖ କରିଥିବା ବେଳେ ଟ୍ୱିଟ୍ରେ ଉପଯୁକ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତି ହିଁ ବ୍ୟକ୍ତିଙ୍କୁ ଅନ୍ୟ ଠାରୁ ପୃଥକ କରିଥାଏ ବୋଲି ଉଲ୍ଲେଖ ଥିଲା। ତେବେ ବିଶ୍ନୌ ସାପ ଡରରେ ଜଙ୍ଗଲ ଛାଡି ଚାଲିଯିବା ଲୋକ ନୁହେଁ ବୋଲି ଉଲ୍ଲେଖ କରିଥିଲେ। ହରିୟାଣା ରାଜ୍ୟସଭା ନିର୍ବାଚନ ପରେ ଟ୍ୱିଟରରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଥିଲା। ଏଥିରେ କଂଗ୍ରେସ ଓବିସି ଶାଖାର ଜାତୀୟ ସଭାପତି ଅଜୟ ସିଂହ ଯାଦବ ମଧ୍ୟ ଏକ ଟ୍ୱିଟ୍ କରିଥିଲେ। ଯାହା ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଓ ତାଙ୍କ ସାଂସଦ ପୁତ୍ରଙ୍କ ଉଦ୍ଦେଶ୍ୟରେ ଥିଲା। ତେବେ ଏହା ବିବାଦର ରୂପ ନେବା ପୂର୍ବରୁ ଅଜୟ ସିଂହ ତାଙ୍କ ବକ୍ତବ୍ୟରେ ଏହା ହୁଡ୍ଡାଙ୍କ ପରିବାର ପ୍ରତି ନଥିଲା ବୋଲି ଉଲ୍ଲେଖ କରିଛନ୍ତି।
