ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଲଗାତାର ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା କଲେଜରେ ସବୁଦିନ ପାଇଁ ପଡିବ ତାଲା । ଏଥିସହ ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍ ଖାଲି ପଡ଼ିଲେ ବି ସଂପୃକ୍ତ କଲେଜକୁ ବନ୍ଦ କରି ଦିଆଯିବ। କେବଳ ସେତିକି ନୁହେଁ, ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ।
ସ୍ଥାୟୀ ଅନୁମୋଦନ ପାଇଁ ଆବେଦନ କରିଥିବା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନକୁ ଗସ୍ତ କରି ଭିତ୍ତିଭୂମି, ପାଠ୍ୟକ୍ରମ, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିବ ଏବଂ ସେମାନଙ୍କ ରିପୋର୍ଟ ଆଧାରରେ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି।ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟର ୯ଟି ଡିଗ୍ରି କଲେଜରେ ନାମଲେଖା କଟକଣା ଲଗାଯାଇଛି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି କଲେଜ ରହିଛି, ଯେଉଁଠାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନାମଲେଖା କଟକଣା ରହିଛି। ସେଗୁଡ଼ିକ ହେଉଛି ଛତ୍ରପୁରଠାରେ ଥିବା ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମି ଡିଗ୍ରି କଲେଜ, ଗଞ୍ଜାମ ଏନ୍ଏସିରେ ଥିବା ଯଶୋଦା ମହିଳା ଡିଗ୍ରି କଲେଜ ଏବଂ ରଙ୍ଗେଇଲୁଣ୍ଡାସ୍ଥିତ ବେଦବ୍ୟାସ ଆବାସିକ ଡିଗ୍ରି କଲେଜ। ସ୍ଥାୟୀ ଅନୁମତି ପାଇଁ ଥିବା ସର୍ତ୍ତ ପୂରଣ କରି ନ ଥିବାରୁ ଏହି ୩ଟି ସେଲ୍ଫ-ଫାଇନ୍ସିଂ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
