ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା; ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କାରଣ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ ।ଏଭଳି ସ୍ଥିତିରେ ରାହୁଲଙ୍କ ବଦଳରେ ଭି ଭି ଏସ ଲକ୍ଷ୍ମଣ ସମ୍ଭାଳି ପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାର ।

ଅନ୍ୟ ପକ୍ଷରେ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଆଉ ଆସନ୍ତା ୨୭ରେ ଏସିଆ କପ୍ ଆରମ୍ଭ ହେବାକୁ ଥିବା ବେଳେ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଆଉ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ୱେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇଥିଲେ ମଧ୍ୟ ଦ୍ରାବିଡ ଟିମ୍ ସହ ନ ଯାଇ କିଛି ସମୟ ପାଇଁ ବ୍ରେକ ନେଇଥିଲେ । କେ.ଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ଗସ୍ତ କରିଥିଲା ଦଳ ଏବଂ କୋଚ୍ ଭାବେ ଭିଭିଏସ ଲକ୍ଷ୍ମଣ ଦଳ ସହ ଯାଇଥିଲେ । ଆଉ ଜିମ୍ବାୱେ ବିପକ୍ଷ ସିରିଜକୁ କ୍ଲିନ୍ ସୁଇପ କରିଥିଲା ଟିମ୍ ଇଣ୍ଡିଆ ।

Related Posts